ତିନିଦିନ ଥରିବ ଓଡ଼ିଶା, ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚିଠି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଏଭଳି ହାଡ଼ଭଙ୍ଗା ଜାଡ଼ ଆହୁରି ତିନିଦିନ ଜାରି ରହିବ । ୨୩ ତାରିଖ ସକାଳ ଯାଏଁ ରାଜ୍ୟରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖି ସତର୍କ କରାଇଛନ୍ତି ।
୨୧ ଓ ୨୨ ତାରିଖ ପାଇଁ ଅତ୍ୟଧିକ ଥଣ୍ଡା ନେଇ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୧ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୨୧ରେ ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଲି କୋରାପୁଟ, କନ୍ଧମାଳ, ବାଲେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ, କଟକ ଓ ଦେବଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ସେହିଭଳି ୨୩ ତାରିଖ ସକାଳ ଯାଏ ଥଣ୍ଡା ନେଇ କୋରାପୁଟ, କନ୍ଧମାଳ, ଢେଙ୍କାନାଳ, ବାଲେଶ୍ୱର, କେନ୍ଦୁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ ଓ ଦେବଗଡ଼କୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ଏହି ସମୟରେ ଅତ୍ୟଧିକ ଥଣ୍ଡା ପ୍ରବାହ ହେବାକୁ ଥିବାରୁ ସମସ୍ତଙ୍କୁ ରାତ୍ରୀ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପଶୁମାନଙ୍କୁ ଆବଦ୍ଧ କୋଠରୀରେ ରଖିବା ସହ ଘୋଡ଼ାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ରାତିରେ ଦୁଇ ଚକିଆ ଯାନ କିମ୍ବା ଖୋଲାକାରରେ ନବୁଲିବା ଲାଗି ପରାମର୍ଶ ଦିଆଯାଇଛି । ଏଥିସହ ବୈଦ୍ୟୁତିକ୍ ଉପକରଣ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ନିଆଁ ବ୍ୟବହାର ବେଳେ ସୁରକ୍ଷା ଉପକରଣ ବ୍ୟବହାର ପାଇଁ କୁହାଯାଇଛି । ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଅସହାୟ ଓ ବାସଗୃହ ନଥିବା ଲୋକଙ୍କ ଲାଗି ବିଦ୍ୟାଳୟ କୋଠା, ଗୋଷ୍ଠୀ କେନ୍ଦ୍ର ଓ ଅନ୍ୟ କୋଠାରେ ଆଶ୍ରୟସ୍ଥଳ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଗତ ୨୪ ଘଣ୍ଟାରେ ୧୧ଡ଼ିଗ୍ରୀ ତଳେ ୧୧ସହରରେ ପାରଦ ରେକର୍ଡ କରାଯାଇଛି । ୫.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ହେଉଛି ଫୁଲବାଣୀ । ସେହିଭଳି ଝାରସୁଗୁଡାରେ ପାରଦ ୭.୬ ଡିଗ୍ରୀ, ଅନୁଗୁଳରେ ୮.୬ ଡିଗ୍ରୀ, ଦାରିଙ୍ଗବାଡ଼ି ୯ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ, କୋରାପୁଟରେ ୮.୬ ଡିଗ୍ରୀ, ଭବାନୀପାଟଣାରେ ୯.୨ ଡିଗ୍ରୀ, ବଲାଙ୍ଗୀରରେ ୯.୪ ଡିଗ୍ରୀ, କେନ୍ଦୁଝରରେ ୯.୫ ଡିଗ୍ରୀ, ବୌଦ୍ଧରେ ୧୦.୫ ଡିଗ୍ରୀ, ତାଳଚେରରେ ୧୦.୬ ଡିଗ୍ରୀ ରେକର୍ଡ ହୋଇଛି । କଟକରେ ତାପମାତ୍ରା ୧୧ ଡିଗ୍ରୀ ଏବଂ ଭୁବନେଶ୍ୱରରେ ପାରଦ ୧୩.୯ ଡିଗ୍ରୀ ରହିଛି ।