ଶୀତ କମିଛି କୁହୁଡି ଅସ୍ତବ୍ୟସ୍ତ କରୁଛି, ବାଧାପ୍ରାପ୍ତ ହୋଇଛି ଟ୍ରେନ ଓ ବିମାନ ସେବା

1 min read

ଭୁବନେଶ୍ବର: ଟୁଇନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର ଓ କଟକରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୧୦ ମିଟର ରହିଥିବା ରେକର୍ଡ଼ କରାଯାଇଛି । ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ ନିକଟବର୍ତ୍ତୀ ରହିଛି। ଫଳରେ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଜଳୀୟବାଷ୍ପ ପ୍ରବେଶ କରୁଛି। ଯାହାକୁ ନେଇ ଆଜିଠାରୁ ରାଜ୍ୟରେ କୁହୁଡି ବୃଦ୍ଧି ପାଇଛି।

ଉପକୂଳ ଓଡ଼ିଶାରେ ସକାଳୁ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହୋଇଛି। ଏହା ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ୭ଡିଗ୍ରୀ ରହିଥିଲା ତାପମାତ୍ରା।

ସେପଟେ ଉତ୍ତର ଭାରତରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ । ପଞ୍ଜାବ, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ୟୁପିରେ ଶୀତ ପ୍ରକୋପ ସାମାନ୍ୟ କମ୍ ରହିଥିଲେ ବି କୁହୁଡ଼ି ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଲୋ ଭିଜିବିଲିଟି ଯୋଗୁ ବାଧାପ୍ରାପ୍ତ ହୋଇଛି ଟ୍ରେନ ଓ ବିମାନ ସେବା। ତାପମାତ୍ରା ସାମାନ୍ୟ ବଢ଼ିଥିଲେ ବି ପାହାଡ଼ି ଇଲାକାରେ ପ୍ରବଳ ତୁଷାରପାତ ଯୋଗୁ ଥଣ୍ଡା ପବନ ବହୁଛି । ଦିଲ୍ଲୀ ସମେତ ଲକ୍ଷ୍ନୗ, କାନପୁରରେ ବି ଘନ କୁହୁଡ଼ି ଆସ୍ତରଣ ଦେଖାଯାଇଛି । ଉତ୍ତର ଭାରତରେ ଚଳିତ ସପ୍ତାହରେ ତାପମାତ୍ରା ସାମାନ୍ୟ ବଢ଼ିଥିଲେ ବି ଆସନ୍ତା ସପ୍ତାହରେ ଏହା ରେକର୍ଡ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପାରଦ ମାଇନସ ୪ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରାଯାଉଛି । ଜାନୁଆରୀ ୧୪ରୁ ୧୯ ମଧ୍ୟରେ ତାପମାତ୍ରା ସର୍ବନିମ୍ନ ସ୍ତର ଛୁଇଁବ । ଏହାଛଡ଼ା ଦିଲ୍ଲୀ ଓ ଏହାର ଆଖପାଖରେ ଝିପିଝିପି ବର୍ଷା ସମ୍ଭାବନା ଥିବାରୁ ଏହା ଶୀତ ବଢ଼ାଇବ ବୋଲି କହିଛି IMD । ରାଜଧାନୀ ଦିଲ୍ଲୀରେ ଶୀତ, କୁହୁଡ଼ି ସାଙ୍ଗକୁ ପ୍ରଦୂଷଣସ୍ତର ବଢ଼ିବାରେ ଲାଗିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବକ ଆଜି ସକାଳୁ ଦିଲ୍ଲୀର ଅଧିକାଂଶ ସ୍ଥାନରେ ବାୟୁ ଗୁଣାବତ୍ତା ୩୫୦ରୁ ଅଧିକ ରହିଥିଲା । ସେପଟେ କାଶ୍ମୀରରେ ବରଫ ଝଡ ଯୋଗୁ କାରଗିଲ ଯିବା ରାସ୍ତା ବନ୍ଦ ହୋଇଯାଇଛି । ଉତ୍ତରାଖଣ୍ଡରେ ବି ଅଧିକାଂଶ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଆସ୍ତରଣରେ ଘୋଡେଇ ହୋଇଛି କେଦାରନାଥ ପୀଠ ।