ଗାମ୍ବିଆ ପରେ ଏବେ ଉଜବେକିସ୍ତାନ; ମେଡ ଇନ ଇଣ୍ଡିଆ ମେଡିସିନ ଖାଇ ୧୮ ଶିଶୁଙ୍କ ମୃତ୍ୟୁ !

1 min read

ନୂଆଦିଲ୍ଲୀ: ଗାମ୍ବିଆ ପରେ ଏବେ ଉଜବେକିସ୍ଥାନରେ କଥିତ ଭାବେ ଭାରତୀୟ ଔଷଧ କମ୍ପାନୀର କଫ ସିରପ ପିଇ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ । ମେଡ ଇନ ଇଣ୍ଡିଆ ମେଡିସିନ ଖାଇ ୧୮ ଶିଶୁଙ୍କ ମୃତ୍ୟୁ ଅଭିଯୋଗ । ଉଜବେକିସ୍ତାନ ସରକାର ଏଥିାଇଁ ଭାରତକୁ ଦାୟୀ କରିଛନ୍ତି । ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ଔଷଦ କମ୍ପାନୀ ଦ୍ୱାରା ନିର୍ମିତ କଫ ସିରପ ପିଇ ୧୮ ଶିଶୁଙ୍କ ମୃ୍ତ୍ୟୁ ହୋଇଛି ।

ମଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ଫାର୍ମାସ୍ୟୁଟିକାଲ କମ୍ପାନୀ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରସ୍ତୁତ Dok-1 Max ସିରପ ପିଇବା କାରଣରୁ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ଔଷଧ କମ୍ପାନୀ ୨୦୧୨ ମସିହାରେ ଉଜବେକିସ୍ତାନ ବଜାରରେ ପାଦ ଥାପିଥିଲା । ତେବେ ଏହି କଫ ସିରପ ଭାରତରେ ବିକ୍ରି ହେଉନଥିବା ମଧ୍ୟ ସୂଚନା ମିଳିଛି । ଏହା ପୂର୍ବରୁ ଅକ୍ଟୋବରରେ ଆଫ୍ରିକୀୟ ଦେଶ ଗାମ୍ବିଆରେ ଭାରତରେ ନିର୍ମିତ କଫ ସିରପରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।

ଏହାପରେ କେନ୍ଦ୍ର ସରକାର ମାମଲାର ତଦନ୍ତ ପାଇଁ କମିଟିର ଗଠନ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଭାରତୀୟ କମ୍ପାନୀର କଫ ସିରପ ଦ୍ୱାରା ଶିଶୁଙ୍କ ମୃତ୍ୟୁର ସରକାରୀ ପୃଷ୍ଟି ହୋଇନାହିଁ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅକ୍ଟୋବର ଆରମ୍ଭରେ ଏହାକୁ ନେଇ ରିପୋର୍ଟ ଜାରି କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ କାଶ ଔଷଧ ଡାଇଥେଲେନ ଗ୍ଲାଇକୋଲ ଏବଂ ଇଥିଲେନ ଗ୍ଲାଇକୋଲ ମଣିଷ ପାଇଁ ବିଷ ସଦୃଶ ଅଟେ ।

ଏହି ସିରପ ଫିଇବା ଦ୍ୱାରା କିଡନୀକୁ କ୍ଷତି ପହଞ୍ଚିଛି । ଏହି ଚାରି ଔଷଧ ହରିୟାଣାର ଗୋଟିଏ କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସର ଅଟେ । ଡବ୍ଲୁଏଚଓର ରିପୋର୍ଟ ଆସିବା ପରେ ଗାମ୍ବିଆ ମେଡେନ ଫାର୍ମାସ୍ୟୁଟିକାଲର ଔଷଧ ଉପରେ କଟକଣା ଲଗାଇ ଦେଇଥିଲା । ସବୁ ଦେଶର ବଜାରରୁ ଏହି ଔଷଧକୁ ହଟାଇବାକୁ ଡବ୍ଲୁଏଚଓ ଚେତାବନୀ ମଧ୍ୟ ଦେଇଥିଲା । ଏହାପରେ ଭାରତ ସରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।