ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ: ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୋକା ଦେଲା ଅଗଷ୍ଟ ମାସରେ ସୃଷ୍ଟି ହୋଇଥିବା ଶେଷ ଲଘୁଚାପ । ତେବେ ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଏବଂ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଚଳିତ ମୌସୁମୀ ସିଜିନ୍ ଅନୁସାରେ ଜୁନ୍ ୧ ତାରିଖରୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୨୧ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୬୪୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ । ମାଲକାନଗିରି, ଖୋର୍ଦ୍ଧା, କୋରାପୁଟ, କଟକ, ଜଗତସିଂହପୁରରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ବାକି ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୪୦ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ପାଇଁ ୪ଟି ଜିଳ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଯାଜପୁରରେ ୫୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୪୯ ପ୍ରତିଶତ, ବଲାଙ୍ଗିରରେ ୪୫ ପ୍ରତିଶତ ଏବଂ ଅନୁଗୁଳରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । କେବଳ ଅଗଷ୍ଟ ମାସରେ ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ କୃଷ୍ଣଙ୍କର ମନ୍ଦିର, ଉଚ୍ଚତା ରହିଛି ୩୫୦ ଫୁଟ

 

Leave a Reply