spot_img

Latest Posts

ପଣବନ୍ଦୀଙ୍କୁ ଛାଡ଼ିଲା ହମାସ ; ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିଲା

ନନ୍ଦିଘୋଷ ବ୍ୟୁରୋ : ପଣବନ୍ଦୀଙ୍କୁ ଛାଡ଼ିଲା ହମାସ। ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିଛି। ସେମାନଙ୍କୁ ରେଡକ୍ରସ ହାତରେ ଦିଆଯାଇଛି । ଇସ୍ରାଏଲ ସହିତ ଯୁଦ୍ଧ ବନ୍ଦ ଚୁକ୍ତି ଅନୁସାରେ ଏହି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ। ପାଲେଷ୍ଟାଇନର ଏହି ସଂଗଠନ କହିଛି, ଇସ୍ରାଏଲର ଜେଲରେ ବନ୍ଦୀ ଥିବା ୧୯୦୦ ପାଲେଷ୍ଟାଇନଙ୍କ ମୁକ୍ତି ବଦଳରେ ୨୦ ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିବା ପରେ ସାରା ଇସ୍ରାଏଲରେ ଖେଳି ଯାଇଛି ଖୁସିର ଲହରୀ । ଟେଲିଭିଜନ ପରଦାରେ ଏହାର ଲାଇଭ୍ ହେଉଥିଲା। ସାରା ଦେଶର ଲୋକେ ଟିଭିକୁ ଅନାଇ ରହିିଥିଲେ। ଏପରିକି ଏଥିପାଇଁ ବଡ଼ ପରଦାରେ ସ୍ଵତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା। ଦୁଇ ବର୍ଷ ପରେ ଏହି ପଣବନ୍ଦୀମାନେ ମୁକ୍ତି ପାଇଛନ୍ତି। ତେଣୁ ସେମାନେ ବି ବହୁତ ଖୁସି। ଏମାନଙ୍କୁ ସ୍ଵାଗତ କରିବାକୁ ନିଜେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ତାଙ୍କ ସ୍ତ୍ରୀ ହାତଲେଖା ବାର୍ତ୍ତା ପଠାଇଛନ୍ତି।

୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା ହମାସ। ଏଥିରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୨୫୦ ଜଣଙ୍କୁ ଅପହରଣ କରି ଗାଜାକୁ ଆଣିପକାଇଥିଲା ହମାସ। ସେହିଦିନଠାରୁ ଚାଲିଥିଲା ଯୁଦ୍ଧ। ଇସ୍ରାଏଲର ଆକ୍ରମଣରେ ଗାଜା ପୁରା ଧ୍ଵସ୍ତବିଧ୍ଵସ୍ତ ହୋଇ ଯାଇଛି। ପ୍ରାୟ ୭୦ ହଜାର ଲୋକ ନିହତ ହୋଇଥିବା ବେଳେ ୨ ଲକ୍ଷ ଲୋକ ଆହତ ହୋଇଛନ୍ତି। ୪ ଲକ୍ଷ ଲୋକ ପଳାୟନ କରିଛନ୍ତି। ଯୁଦ୍ଧର ଗଭୀର ପ୍ରଭାବ ପଡ଼ିଛି ଗାଜା ଉପରେ । ସେଠାରେ ଲୋକେ ଖାଇବାକୁ ପିଇବାକୁ ମଧ୍ୟ ପାଉ ନାହାନ୍ତି। ଏକ ପ୍ରକାର ଦୁର୍ଭିକ୍ଷ ଦେଖାଯାଇଛି। ଏହି ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ବହୁତ ଚେଷ୍ଟା କରିଥିଲେ। ଶେଷରେ ଉଭୟ ପକ୍ଷର ଅନେକ ସର୍ତ୍ତ ଅନୁସାରେ ଯୁଦ୍ଧ ବିରତି ହୋଇଛି। ଏଥିପାଇଁ ଇସ୍ରାଏଲ ଓ ଇଜିପ୍ଟ ଟ୍ରମ୍ପଙ୍କୁ ନିଜ ନିଜ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହମାସ-ଇସ୍ରାଏଲ ଯୁଦ୍ଧ ବିରତି ସହିତ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି।

Latest Posts

Don't Miss