ମେ’ରୁ ଘରୋଇ ହସ୍ପିଟାଲରେ କୋଭିସିଲ୍ଡର ଗୋଟିଏ ଡୋଜ୍ ପାଇଁ ଦେବାକୁ ହେବ ୭୦୦ ଟଙ୍କା

1 min read
Vaccination To 18 Years Old Above People From 1st May In Doubt

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ ଦର ଘୋଷଣା କରିଛନ୍ତି । କମ୍ପାନୀ ଅନୁସାରେ ରାଜ୍ୟ ସରକାରଙ୍କୁ ଭ୍ୟାକ୍ସିନ ୪୦୦ ଟଙ୍କାରେ ଏବଂ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କା ଦେବାକୁ ପଡ଼ିବ । ସରକାରୀ ଡାକ୍ତରଖାନାରେ ଏବେ ଟିକା ମାଗଣାରେ ଦିଆ ଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଏଥିପାଇଁ ୬୦୦ ଟଙ୍କା ଦେବାକୁ ପଡ଼ିବ । ଅର୍ଥାତ୍ ଆସନ୍ତା ମାସରୁ ଘରୋଇ ହସ୍ପିଟାଲରେ କୋଭିସିଲ୍ଡ ଟିକା ନେଲେ ଆପଣଙ୍କୁ ସମସ୍ତ ଚାର୍ଜ ସହ ୭୦୦ ଟଙ୍କା ଦେବାକୁ ହେବ ।

ତେବେ, ସରକାରୀ ହସ୍ପିଟାଲରେ ଟିକା ମାଗଣା ମିଳିବ । ଅଧିକାଂଶ ରାଜ୍ୟ ମାଗଣାରେ ଟିକା ଦେବା ପାଇଁ ଘୋଷଣା କରିଛନ୍ତି । କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡର ଦର ଘୋଷଣା ବେଳେ ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍ ନିର୍ମାଣର ସେରମର ସିଇଓ ଅଦର ପୁନାୱାଲା କହିଛନ୍ତି- ଆସନ୍ତା ୨ ମାସ ମଧ୍ୟରେ ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି କରାଯାଇ ଅଭାବକୁ ଦୂର କରାଯିବ । ଆଗାମୀ ଦିନରେ ସେରମ କେନ୍ଦ୍ର ସରକାରଙ୍କୁ ୫୦ ପ୍ରତିଶତ ଟିକା ଦେବ । ବଳକା ଟିକା ରାଜ୍ୟ ଓ ଘରୋଇ ହସ୍ପିଟାଲକୁ ମିଳିବ ।

ବିଦେଶୀ ଟିକା ତୁଳନାରେ ଶସ୍ତା

ସେରମର ସିଇଓ ପୁନାୱାଲା କହିଛନ୍ତି- ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ଟିକାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଦୁନିଆର ଅନ୍ୟ ଟିକା ତୁଳନାରେ ଭାରତରେ ଭ୍ୟାକ୍ସିନର ମୂଲ୍ୟ ବହୁତ କମ୍ । ଆମେରିକାରେ ଭ୍ୟାକ୍ସିନର ମୂଲ୍ୟ ୧୫୦୦ ଟଙ୍କାରୁ ଅଧିକ । ଯେତେବେଳେ କି ଋଷ ଓ ଚୀନ ନିର୍ମିତ ଭ୍ୟାକ୍ସିନ୍ ଦାମ ୭୫୦ ଟଙ୍କାରୁ ଅଧିକ । ଏବେ ସମସ୍ତ କମ୍ପାନୀଙ୍କୁ ଭ୍ୟାକ୍ସିନ୍ ଯୋଗାଣ ସମ୍ଭବ ନୁହେଁ । ତେଣୁ ଟିକା ସରକାରୀ ଓ ଘରୋଇ ହସ୍ପିଟାଲରେ ନେବାକୁ ହେବ । ୪ରୁ ୫ ମାସ ପରେ ଭ୍ୟାକ୍ସିନ୍ ଖୋଲା ବଜାରରେ ମିଳିବ ।

Leave a Reply