ଦିଲ୍ଲୀରେ ସିରୋ ସର୍ଭେ: ମହିଳା ଏବଂ ଶିଶୁଙ୍କ ନିକଟରେ ରହିଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି

ନୂଆ ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମକଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏଠାରେ ୨୯ ପ୍ରତିଶତ ଲୋକଙ୍କ ମଧ୍ୟରେ ସଂକ୍ରମଣ ବିରୁଦ୍ଧରେ ଆଣ୍ଟି ବଡି ଦେଖିବାକୁ ମିଳିଛି । ନିକଟରେ ଶେଷ ହୋଇଥିବା ସିରୋ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି । ରିପୋର୍ଟ ଅନୁସାରେ ଏକ ମାସ ମଧ୍ୟରେ ୫ ପ୍ରତିଶତ ଆଣ୍ଟିବଡି ବୃଦ୍ଧି ହୋଇଛି । ସ୍ୱାସ୍ଥ୍ୟ ବିଭାଗକୁ ୧୨,୫୯୮ ଲୋକଙ୍କର ସାମ୍ପଲ ରିପୋର୍ଟ ଦିଆଯାଇଥିବା ବେଳେ ତାହା ମଧ୍ୟରୁ ୨ ହଜାର ୫ ଶହ ଲୋକଙ୍କ ପରୀକ୍ଷଣ ପ୍ରକ୍ରିୟା ଚାଲୁଛି ।


ଶରୀରରେ ଆଣ୍ଟିବଡି ମିଳିବାର ଅର୍ଥ ହେଉଛି ବ୍ୟକ୍ତିର ଶରୀରରେ କରୋନା ସହିତ ଲଢିବାର କ୍ଷମତା ଉତ୍ପନ୍ନ ହୋଇଛି । ଅବଶ୍ୟ ଏହି କ୍ଷମତା କେତେ ଦିନ ପର୍ଯ୍ୟନ୍ତ ରହିବ ତାହାକୁ ନେଇ ବିଶେଷଜ୍ଞ କୌଣସି ପ୍ରକାରର ସୂଚନା ପାଇପାରି ନାହାଁନ୍ତି । ଯଦି ଧାର୍ଯ୍ୟ କରାଯାଇଥିବା ସଂଖ୍ୟା ମଧ୍ୟରେ ଆଣ୍ଟି ବଡି ମିଳୁଛି ତେବେ ହର୍ଡ଼ ଇମ୍ୟୁନିଟି ବିକଶିତ ହେଉଛି ବୋଲି କୁହାଯିବ ।

ପୁରୁଷଙ୍କ ଅପେକ୍ଷା ମହିଳା ଓ ଶିଶୁଙ୍କ ନିକଟରେ ଆଣ୍ଟି ବଡି କ୍ଷମତା ଅଧିକ

ଦିଲ୍ଲୀରେ ପ୍ରଥମ ସିରୋ ସର୍ଭେ ରିପୋର୍ଟ ଜୁଲାଇ ମାସରେ ଆସିଥିଲା । ନିଆ ଯାଇଥିବା ୨୧ ହଜାର ୩୮୭ ଲୋକଙ୍କ ସାମ୍ପଲ ମଧ୍ୟରୁ ୨୩.୪୮ ପ୍ରତିଶତ ଆଣ୍ଟି ବଡି ମିଳିଥିଲା । ଯାହାପରେ ଦିଲ୍ଲୀରେ ୫୦ ଲକ୍ଷ ଲୋକଙ୍କ ମଧ୍ୟରେ କେବଳ ଏକ ଚତୁର୍ଥାଂଶ ଲୋକଙ୍କ ମଧ୍ୟରେ ଆଣ୍ଟି ବଡି ମିଳିଛି ବୋଲି ଆଲୋଚନା ହେଉଛି । ତେବେ ଉକ୍ତ ଘଟଣାକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରତି ମାସରେ ସିରୋ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ସିରୋ ସର୍ଭେରୁ ୨୯ ପ୍ରତିଶତ ଲୋକଙ୍କ ନିକଟରେ ଏହି ଭୂତାଣୁ ସହିତ ଲଢିବାର ରୋଗ ପ୍ରତିରୋଧକ ଶକ୍ତି ମିଳିଛି ।

 

ସର୍ଭେ ପାଇଁ ପ୍ରସ୍ତୁତ ହୋଇଥିବା ଗାଇଡ ଲାଇନ ଅନୁସାରେ ସର୍ଭେ ପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ୱ ୫୦ ବର୍ଷ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି । ପୁରୁଷଙ୍କ ଅପେକ୍ଷା ମହିଳା ଏବଂ ଶିଶୁଙ୍କ ନିକଟରେ ଆଣ୍ଟି ବଡି କ୍ଷମତା ଅଧିକ ଦେଖା ଦେଇଛି । ଖବର ଅନୁସାରେ ୨୮.୩ ପ୍ରତିଶତ ପୁରୁଷ,୩୨.୨ ପ୍ରତିଶତ ମହିଳା ଏବଂ ୧୮ ବର୍ଷରୁ କମ୍ ୩୪.୭ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ସହିତ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ମିଳିଛି ।

Leave a Reply