ବୋମାମାଡ଼ ଓ ଘର ପୋଡ଼ା ପରେ ପୁରୁଷ ଶୂନ୍ୟ ହୋଇଗଲା ଗାଁ

ପୁରୀ: ସରକାରୀ ଜମିରେ ଘର ନିର୍ମାଣକୁ ନେଇ ଗତକାଲି ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁର ଗ୍ରାମରେ ଘଟି ଯାଇଥିଲା ତୁମୁଳକାଣ୍ଡ । ଗୋଷ୍ଠୀ ସଂଘର୍ଷ ସହ ଜଳିଲା ଘର, ଫୁଟିଲା ବୋମା । ଏହାପରେ ପୂରା ଗାଁ ପୋଲିସ ଛାଉଣୀରେ ପରିଣତ ହୋଇଯାଇଛି । ଏପଟେ ଅଶାନ୍ତି ସୃଷ୍ଟି କରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟ । ଗିରଫଦାରୀ ଭୟରେ ପୁରୁଷ ଶୂନ୍ୟ ହୋଇଯାଇଛି ପୂରା ଗାଁ ।

ଗତକାଲି ନାଥପୁର ଗାଁରେ ଦୁଇଟି ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଦେଖିବାକୁ ମିଳିଥିଲା । ସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ଗୋଷ୍ଠୀର ଘର ଜାଳି ଦେଇଛନ୍ତି ଅନ୍ୟ ଗୋଷ୍ଠୀ  । ଏହା ସହିତ ଗାଁରେ ହୋଇଥିଲା ତୁହାକୁ ତୁହା ବୋମାମାଡ ।

ଅଭିଯୋଗ ଅନୁସାରେ ନାଥପୁର ଗାଁର ଏକ ସରକାରୀ ଜମିକୁ ଜବରଦଖଲ କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଘର କରି କରୁଥିଲେ । ଯାହାକୁ ସାତପଡ଼ା ଅଞ୍ଚଳର ୩୫ ମଉଜା ବିରୋଧ କରି ଆସୁଥିଲେ । ଏନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ 3୫ ମଉଜା ଲୋକେ ବୈଠକରେ ଆଲୋଚନା କରିବାକୁ ଡାକିଥିଲେ । ମାତ୍ର ବୈଠକକୁ ନଆସି ତାଙ୍କୁ ଡାକିବାକୁ ଯାଇଥିବା ଲୋକଙ୍କୁ ସେମାନେ ଆକ୍ରମଣ କରିଥିଲେ । ଏହାପରେ ଘଟଣା ଉଗ୍ରରୂପ ନେଇଥିଲା । ଘଟଣାସ୍ଥଳରେ ୨୦ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ସେତିକି ନୁହେଁ ଗୁଳି ବି ଫୁଟିଥିଲା । ଗୁଳି ବାଜି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ୪୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ପରିସ୍ଥିତିକୁ ନଜରରେ ରଖି ୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ମାମଲାରେ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଏହା ସହିତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇଯାଇଛନ୍ତି । ପୁରୀ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ମାମଲା ଉପରେ ନଜର ରଖିଛନ୍ତି ।

Leave a Reply