ଝିଅକୁ ମାସିକ ପାଠପଢ଼ା ଖର୍ଚ୍ଚ ଦେବେ ଅଲଗା ରହୁଥିବା ମାଆ

ଆନନ୍ଦପୁର: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ । ଝିଅକୁ ମାସିପ ପାଠପଢ଼ା ଖର୍ଚ୍ଚ ଦେବେ ଅଲଗା ରହୁଥିବା ମାଆ ।

ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୁନ୍ଦରାପାଳର । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ ଜେନାଙ୍କୁ ମିଳିଲା ନ୍ୟାୟ । ପାଠ ପଢ଼ିବା ପାଇଁ ମାସିକ ୬ ହଜାର ଟଙ୍କା ଲେଖାଏଁ ଦେବେ ଅଲଗା ରହୁଥିବା ଶିକ୍ଷୟିତ୍ରୀ ମାଆ । ଶୁଭଲକ୍ଷ୍ମୀଙ୍କ ମାଆ ତେଲକୋଇ ବ୍ଲକ୍ ଶିରିଗିଡା ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ୫ ବର୍ଷ ହେବ ସେ ସ୍ବାମୀ ଓ ଝିଅଠାରୁ ଦୂରେଇ ରହୁଛନ୍ତି । ମାଆ ପଚାରୁ ନଥିବାରୁ ବାପାଙ୍କ ସ୍ବଳ୍ପ ରୋଜଗାରରେ ଚଳିବା ସହିତ ଝିଅର ପାଠପଢ଼ାରେ ସମସ୍ୟା ଦେଖାଦେଉଥିଲା । ଏନେଇ ମୁଖ୍ୟମନ୍ତ୍ରୀ, କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲା ଝିଅ ଶୁଭଲକ୍ଷ୍ମୀ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତନାଘନା ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷୟିତ୍ରୀଙ୍କୁ ଡକାଇ ଜବାବ ମାଗିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଝିଅକୁ ମାସିକ ପାଠପଢ଼ା ଖର୍ଚ୍ଚ ବାବଦକୁ ୬ ହଜାର ଟଙ୍କା ଲେଖାଏଁ ଦେବାକୁ ଡିଇଓ ନିର୍ଦ୍ଦେଶ ଦେଇଛନ୍ତି  ।