ସେୟାର ମାର୍କେଟରେ ହାହାକର, ଗୋଟିଏ ଦିନରେ ୪ ଲକ୍ଷ ୮୦ କୋଟି ଟଙ୍କା ସ୍ୱାହା

1 min read

ମୁମ୍ବାଇ: ଗୋଟିଏ ଦିନରେ ବୁଢ଼ିଲା ୪.୮୦ ଲକ୍ଷ କୋଟି । ଗତ କିଛି ଦିନ ହେବ ଚାପରେ ରହିଥିଲା ଭାରତୀୟ ସେୟାର ମାର୍କେଟ । କିନ୍ତୁ ଗୁରୁବାର ସେନସେକ୍ସ ପୂରା ତଳକୁ ଖସିଛି । ଯାହାକି ୬ ମାସ ମଧ୍ୟରେ ସବୁଠୁ ବଡ଼ ହ୍ରାସ । ଯାହାଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(BSE)ର ସେନସେକ୍ସ ୧୧୫୮ ପଏଣ୍ଟ ହ୍ରାସ ସହିତ ସେନସେକ୍ସ ୫୯,୯୮୪ ପଏଣ୍ଟରେ ବନ୍ଦ ହୋଇଛି । ବାସ୍ତବରେ ଗୁରୁବାର ସେୟାର ବଜାର ହ୍ରାସରୁ ହିଁ ଖୋଲିଥିଲା । ତେବେ ଦିନ ବଢ଼ିବା ସେୟାର ବଜାର ମଧ୍ୟ ହ୍ରାସ ହେବାରେ ଲାଗିଲା । ଆଜି ଦିନର କାରବାର ଶେଷ ହେବା ସମୟରେ ନିଫ୍ଟି ୩୫୩ ହ୍ରାସ ପାଇ ୧୭ ହଜାର ୮୫୭ ପଏଣ୍ଟରେ ବନ୍ଦ ହୋଇଛି । ତେବେ ଏହି ମାସ ୮ ତାରିଖରେ ସେନସେକ୍ସ ୬୦ ହଜାରକୁ ଛୁଇଁଥିଲା । ଏହାର ଛଅ ମାସ ପୂର୍ବରୁ ଅର୍ଥାତ ଏପ୍ରିଲ ୧୨ରେ ସେନସେକ୍ସ ୧୭୦୦ ପଏଣ୍ଟ ତଳକୁ ଖସିଥିଲା । ତେବେ ଆଜି ସେନସେକ୍ସର ହ୍ରାସ ଫଳରେ ନିବେଶକଙ୍କୁ ଲାଗିଛି ଏକ ବଡ଼ ଝଟକା । ଆଜି ନିବେଶକଙ୍କ ୪.୮୦ ଲକ୍ଷ କୋଟି କ୍ଷତି ହୋଇଛି ।

ତେବେ ଆଜି ମାର୍କେଟ ହ୍ରାସ ଫଳରେ ସବୁଠାରୁ ବଡ଼ କ୍ଷତିରେ ପଡ଼ିଛନ୍ତି ସରକାରୀ କମ୍ପାନୀ । ହ୍ରାସ ହୋଇଥିବା ସେୟାର ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆଦାନୀ ପୋର୍ଟ୍ସ । ଆଜି ଗୋଟିଏ ଦିନରେ ଆଦାନୀ ପୋର୍ଟ୍ସର ୮ ପ୍ରତିଶତ କ୍ଷତି ହୋଇଛି । ଆଦାନୀ ପୋର୍ଟ୍ସ ବ୍ୟତୀତ ITCର ସେୟାରରେ ୫.୬୦ ପ୍ରତିଶତ, ରିଲିୟାନ୍ସର ସେୟାରରେ ୧.୨୬ ପ୍ରତିଶତ, TCS ସେୟାରର ୧.୮୫ ପ୍ରତିଶତ ହ୍ରାସ ହୋଇଛି । ଯଦି ବ୍ୟାଙ୍କ ସେକ୍ଟର କଥା କହିବା ତାହାଲେ ଏକ୍ସିସ ବ୍ୟାଙ୍କର ୩.୭୫ ପ୍ରତିଶତ, କୋଟକ୍ ବ୍ୟାଙ୍କର ୪.୦୫, ଏସବିଆଇର ୩.୪୨ ପ୍ରତିଶତ ଏବଂ ଆଇସିଆଇସିଆଇ ବ୍ୟାଙ୍କର ୪.୩୯ ପ୍ରତିଶତ ହ୍ରାସ ଘଟିଛି । ତେବେ ଆଜି ଏହି ହ୍ରାସ ଭିତରେ IRCTCର ସେୟାର ୧୦.୬୫ ପ୍ରତିଶତ ବୃଦ୍ଧି ଘଟି ୯୧୩ ଟଙ୍କାରେ ଆଜି ବନ୍ଦ ହୋଇଛି ।

ତେବେ କାହଁକି ଆଜି ସେୟାର ମାର୍କେଟ ନିମ୍ନଗାମୀ ହେଲା ସେ ବିଷୟରେ ଯଦି କଥା ହେବା ତାହାଲେ ଏହା ପଛରେ ରହିଛି ତିନୋଟି ବଡ଼ କାରଣ । ପ୍ରଥମ କାରଣ ହେଉଛି ବିଦେଶୀ ନିବେଶକମାନେ କିଛି ଦିନ ଧରି କ୍ରମାଗତ ଭାବରେ ସେୟାର ବିକ୍ରି କରୁଛନ୍ତି । ଦ୍ବିତୀୟରେ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ହ୍ରାସ ଘଟିଛି, ଯାହା ଭାରତୀୟ ବଜାର ଉପରେ ପ୍ରଭାବ ପକାଉଛି । ତୃତୀୟତଃ ଭାରତୀୟ ବଜାରରେ କ୍ରମାଗତ ବୃଦ୍ଧି ପରେ ବେଶ୍ ଲାଭ ବୁକଂ ହୋଇଛି । ଯାହା ଫଳରେ ଆଜି ସେୟାର ମାର୍କେଟରେ ଆଜି ବଡ଼ ଧରଣର ହ୍ରାସ ଘଟିଛି ।

Leave a Reply