ରାଜ୍ୟରେ ଶାନ୍ତିପୂର୍ଣ୍ଣ ରହିଛି ଆଇନ ଶୃଙ୍ଖଳା ପରିସ୍ଥିତି: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ମହାମାରୀ କାଳରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ସମୟରେ ୬୧ ଜଣ ପୋଲିସ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଜୀବନର ବଳିଦାନକୁ ଦେବାକୁ ପଡ଼ିଥିଲା । ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବାର ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବରିଷ୍ଠ ପୋଲିସ ଅଧିକାରୀଙ୍କ କନ୍‌ଫରେନ୍ସ-୨୦୨୧ର ଉଦ୍‌ଯାପନୀ ଅବସରରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ  ଯୋଗଦେଇ ବର୍ଷ ୨୦୨୧ରେ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ କାର୍ଯ୍ୟ ଫଳରେ ବିଗତ ୫ବର୍ଷ ମଧ୍ୟରେ ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଏବଂ ସମ୍ୱଲପୁର ଜିଲ୍ଲାକୁ ମାଓ ମୁକ୍ତ ହୋଇପାରିଥିବା କହିଛନ୍ତି ।

            ‘ମୋ- ସରକାର’ ଅଧିନରେ ଓଡ଼ିଶା ପୋଲିସ ସମ୍ପର୍କରେ ଭଲ ଫିଡ୍ ବ୍ୟାକ୍ ପ୍ରାପ୍ତ ହୋଇଛି । ସେହିଭଳି ୫-ଟି ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଯେଉଁଥିରେ ପାସପୋର୍ଟ ଭ୍ୟାରିଫିକେସନକୁ ତ୍ୱରାନ୍ୱିତ କରିବା, ପୋଲିସ କର୍ମଚାରୀଙ୍କ ସମୟାନୁଯାୟୀ ପଦୋନ୍ନତି, ଚୋରି ମାମଳାରେ ଇ-ଏଫଆଇଆର ରହିଥିଲା । ଏଥିସହିତ ଆଗକୁ ମଧ୍ୟ ଆହୁରି ଅନେକ ପଦକ୍ଷେପ ନିଆଯିବ ।

            ଅନ୍ୟପକ୍ଷରେ ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍) ନେତୃତ୍ୱରେ ରାଜ୍ୟରେ ଜାରି ରହିଥିବା ବ୍ରାଉନସୁଗାର ବିରୋଧୀ ଅଭିଯାନର ସଫଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏଥିସହିତ ବଜ୍ରକାପ୍ତା, ବାଘ ଚମଡ଼ା ଭଳି ବନ୍ୟଜନ୍ତୁଙ୍କୁ ନେଇ ଚାଲିଥିବା କାରବାରର ପର୍ଦ୍ଦାଫାସ ନେଇ ମଧ୍ୟ ଏସ୍‌ଟିଏଫ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 ବାତ୍ୟା ‘ୟାସ୍’ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ୍ ସାମଗ୍ରୀ ବଣ୍ଟନ ନେଇ ଓଡ୍ରାଫ୍ ଏବଂ ହୋମଗାର୍ଡ କର୍ମଚାରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply