ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ହୋଇନି ଫାଟ: ରବିଶଙ୍କର ପ୍ରତିହାରୀ
ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବରିଷ୍ଠ ସେବାୟତ ରବି ଶଙ୍କର ପ୍ରତିହାରୀଙ୍କ ବଡ଼ ପ୍ରତିକ୍ରିୟା । ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ହୋଇଥିବା ଚର୍ଚ୍ଚାକୁ ସିଧା ସିଧା ଖଣ୍ଡନ କରିଛନ୍ତି ରବିଶଙ୍କର । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ହୋଇନାହିଁ । ଏମିତି କହିବା ସମ୍ପୂର୍ଣ୍ଣ ଭୁଲ ।
ଆଗକୁ ସେ କହିଛନ୍ତି, ଛତିଶା ନିଯୋଗର ଅନୁମୋଦ ପରେ ସେବାୟତଙ୍କ ସହଯୋଗରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ଖୋଦ ଏଏସଆଇର ତତ୍ତ୍ବାବଧାନରେ ପରିକ୍ରମା ପ୍ରକଳ୍ପ କାମ ହୋଇଥିଲା । ଏଏସଆଇର ଅଭିଜ୍ଞ ବିଶେଷଜ୍ଞମାନେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରୁଥିଲେ । ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ କରାଯାଇଛି । ଏକଥା ପୁରୀବାସୀ ଓ ପୁରୀକୁ ପ୍ରତିଦିନ ଆସୁଥିବା ଭକ୍ତମାନେ କହୁଛନ୍ତି ।
ସେହିଭଳି ସେ କହିଛନ୍ତି, ପୂର୍ବରୁ ମେଘନାଦ ପାଚେରୀ କଡରେ ଉଠା ଦୋକାନୀ ବସୁଥିଲେ । ୧୯୮୨ ମସିହାରେ ମେଘନାଦ ପାଚେରୀ କଡରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ତେଣୁ ସେତେବେଳେ ଥିବା ଉଠା ଦୋକାନୀମାନେ ମେଘନାଦ ପାଚେରୀରେ କିଛି ବି ଲୁହା ବିମ ଲଗାଇଥିବେ, ଯେଉଁଥି ପାଇଁ ଏହି ଫାଟ ହୋଇଥାଇପାରେ । ଏଥିସହିତ ଶ୍ରୀମନ୍ଦିରରୁ ପାଣି ନିଷ୍କାସନ ପାଇଁ ପୂର୍ବରୁ ନାଳ ରହିଛି । ଏହି ନାଳରେ ପାଣି ଯାଇ ତାହା ଗର୍ତ୍ତରେ ପରିଣତ ହୋଇଥାଇ ପାରେ । ଯେଉଁମାନେ କହୁଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ପାଇଁ ମେଘନାଦ ପାଚେରୀରେ ଫାଟ ହୋଇଛି ସେମାନେ ବିଶେଷଜ୍ଞ ନୁହଁନ୍ତି । ସର୍ବୋପରି ଯେଉଁମାନେ ଆଜି ପ୍ରକଳ୍ପ ବିରୋଧରେ କହୁଛନ୍ତି, ସେ ସମୟରେ ସେମାନେ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରୁଥିଲେ । ଏଥିସହିତ ଯେଉଁ ପଟେ ମେଘନାଦ ପାଚେରୀରେ ଫାଟ ହୋଇଛି ସେପଟେ କୌଣସି ଖନନ କାର୍ଯ୍ୟ ହୋଇ ନଥିଲା ବୋଲି ସେ କହିଛନ୍ତି ।