ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର

1 min read

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ହେଲେ ସାମିଲ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସାଂସଦ ମାନସ ମଙ୍ଗରାଜ ଲେଖାଶ୍ରୀଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ଏହି ଅବସରରେ ସାଂସଦ ସସ୍ମିତ ପାତ୍ର ଏବଂ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଆଜି ସକାଳୁ ଲେଖାଶ୍ରୀ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏନେଇ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ । ବିଜେପିରେ ଉପସଭାପତି ଥିଲେ ଲେଖାଶ୍ରୀ ।

ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ‘ବିଜେଡି ଖୋଲା ହୃଦୟରେ ଗ୍ରହଣ କରିଥିବାରୁ ଧନ୍ୟବାଦ । ମୁଁ ବିଜେପି ଛାଡିଛି । କୌଣସି ପରିବର୍ତ୍ତନ ସହଜ ନୁହେଁ । ହେଲେ ପରିବର୍ତ୍ତନ ନିରନ୍ତର, ଆଗକୁ ଯିବାକୁ ହେଲେ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡିବ । ୧୦ ବର୍ଷ ହେବ ବିଜେପିକୁ ଶତ ପ୍ରତିଶତ ବିଜେପିକୁ ଦେଇଥିଲି । ଲୋକସେବା ଇଚ୍ଛା ସେଠି ପୂରଣ ହୋଇପାରୁନି । ଏତେ ନିଷ୍ଠା ସହ କାମ କରିବା ସତ୍ତ୍ବେ ନେତୃତ୍ୱର ଭରଷା ପାଇଲା ନାହିଁ । ମୋ ସହ ବିଜେପିର କାମ ଏତିକି ଥିଲା ବୋଲି ଅନୁଭବ ହେଲା ।’

ଆଗକୁ ସେ କହିଛନ୍ତି, ‘ଓଡ଼ିଶାରେ ବିକାଶର ସ୍ରୋତ ବୁହାଉଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି । ମୁଖ୍ୟମନ୍ତ୍ରୀଙ୍କୁ ପାଖରେ କୃତଜ୍ଞ । 5T କାମ ପାଇଁ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ । ଓଡ଼ିଆ ଅସ୍ମିତା, ଓଡ଼ିଶାର ବିଶ୍ୱସ୍ତରୀୟ ପରିଚୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଅନୁପ୍ରାଣିତ ହୋଇ ଗୁଣ୍ଡୁଚି ମୂଷା ପରି କାମ କରିବି । ଓଡିଶାବାସୀଙ୍କ ସେବା ମୋ ଉଦ୍ଦେଶ୍ୟ ଥିଲା । ଯାହା ବିଜେପିରେ ସମ୍ଭବ ହେଲାନାହିଁ । ଏଡି ମୋତେ ଯାହା ଦାୟିତ୍ବ ମିଳିବ କରିବି ।

ମାନସ କହିଛନ୍ତି, ଲେଖାଶ୍ରୀଙ୍କ ଯୋଗଦାନ ଦଳକୁ ଆହୁରି ସୁସଂଗଠିତ କରିବ । ରାଜ୍ୟ ରାଜନୀତିରେ ସେ ଜଣେ ପରିଚିତ ନାଁ । ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ।

ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଲେଖାଶ୍ରୀ ମିଡ଼ିଆ ଡିବେଟରେ ବନ୍ଧୁ ପରି କାମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଗଠନର ସ୍ବପ୍ନରେ ଲେଖାଶ୍ରୀଙ୍କ ଅବଦାନ ରହିବ, ଦଳ ସୁସଂଗଠିତ ହେବ ।

ସେହିପରି ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖାଶ୍ରୀ ଦଳରେ ମିଶିଛନ୍ତି । ପୂର୍ବରୁ ତାଙ୍କ ପାଖରେ ଆମ ସହ ମିଶି କାମ କରିବାର ସୁଯୋଗ ଥିଲା । କିଛି କାରଣରୁ ପକେଇଥିଲେ । ଆଜି ସେ ଘରକୁ ଫେରିଛନ୍ତି । ମିଶିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ଲୋକଙ୍କ ପାଖରେ ପହଞ୍ଚାଇବୁ ।