ସ୍ବାସ୍ଥ୍ୟ କଥା କହୁ କହୁ ଚାଲିଗଲେ ପ୍ରଫେସର

କାନପୁର: ସ୍ବାସ୍ଥ୍ୟର ଯତ୍ନ ବିଷୟରେ କହୁ କହୁ ଟଳି ପଡିଲେ ଫ୍ରଫେସର । ହୃତଘାତରେ ଚାଲିଗଲା ପ୍ରଫେସରଙ୍କ ଜୀବନ । ଏମିତି ଏକ ଘଟଣା କାନପୁରରେ ଦେଖିବାକୁ ମିଳିଛି । ଆଇଆଇଟି କାନପୁରରେ ସିନିୟର ପ୍ରଫେସର ତଥା ଷ୍ଟୁଡେଣ୍ଟ ୱେଲଫେୟାରର ଡିନ୍ ସମୀର ଖାଣ୍ଡେକରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ପ୍ରଫେସର ଖାଣ୍ଡେକର ଯେତେବେଳେ ମଞ୍ଚରେ ଭାଷଣ ଦେଉଥିଲେ, ସେତେବେଳେ ତାଙ୍କର ହୃତଘାତ ହୋଇଥିଲା । କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଲୋକମାନେ ସେତେବେଳେ କିଛି ବୁଝି ପାରିନଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଇଥିଲା,  ସେଠାରେ ଡାଙ୍କର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରଫେସର ଖାଣ୍ଡେକର ଶୁକ୍ରବାର ଆଇଆଇଟି ଅଡିଟୋରିୟମରେ ଆଲୁମିନି ମିଟ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭଲ ସ୍ୱାସ୍ଥ୍ୟ ବିଷୟରେ ଉପଦେଶ ଦେଉଥିଲେ । ସ୍ବାସ୍ଥ୍ୟର ଯତ୍ନ ନିଅ ବୋଲି କହିଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରି ବସି ପଡିଥିଲେ । ସେ ଭାବପ୍ରବଣ ହେଉଛନ୍ତି ଭାବି ଲୋମାନେ କିଛି ବୁଝି ପାରିନଥିଲେ । ପ୍ରଫେସରଙ୍କ ଦେହରୁ ଝାଳ ବୋହିବାକୁ ଲାଗିଥିଲା ଓ ସେ ମଞ୍ଚ ଉପରେ ଅଚେତ ହୋଇଯାଇଥିଲେ । କାର୍ଡିଓଲୋଜି ହସ୍ପିଟାଲର ଡକ୍ଟର ନୀରଜ କୁମାର କହିଛନ୍ତି ଯେ ପ୍ରଫେସର ଖାଣ୍ଡେକରଙ୍କୁ ଚିକିତ୍ସା ପାଇଁ ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଆସିଲେ ସବୁ କିଛି ଜଣାପଡିବ ।

ପ୍ରଫେସର ସମୀର ଖାଣ୍ଡେକରଙ୍କୁ ମୃତ୍ୟୁ ବେଳକୁ ୫୫ ବର୍ଷ ବୟସ ହୋଇଥିଲା । ସେ ଜବଲପୁରରେ ଜନ୍ମଗ୍ରହଣ କରିଥିଲେ । ଆଇଆଇଟି କାନପୁରରୁ ବି.ଟେକ୍ ସରିବା ପରେ ସେ ଜର୍ମାନୀ ପିଏଚଡି କରିବାକୁ ଯାଇଥିଲେ । ତାଙ୍କ ପୁଅ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ପ୍ରଫେସରଙ୍କ ମୃତ୍ୟୁ ପରେ ସମଗ୍ର ଆଇଆଇଟି କାନପୁର ମେନେଜମେଣ୍ଟ ସ୍ତବ୍ଧ ହୋଇଯାଇଛି।