ବଦଳିଛି ଓଡ଼ିଶା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ କରିଛି ବିକାଶ: ସିନେ ଅଭିନେତା କବୀର ବେଦୀ

ଭୁବନେଶ୍ବର: ବଦଳିଛି ଓଡ଼ିଶା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ବରେ ରାଜ୍ୟର ଅହେତୁକ ବିକାଶ ହୋଇଛି । ଓଡ଼ିଶାକୁ ବହୁବାର ପୂର୍ବରୁ ଆସିଥିଲେ ବି ୨୨ ବର୍ଷ ଭିତରେ ସବୁ କ୍ଷେତ୍ରରେ ରୂପାନ୍ତରଣ ଦେଖି ପ୍ରଶଂସା କରିଛନ୍ତି ବରିଷ୍ଠ ସିନେ ଅଭିନେତା କବୀର ବେଦୀ । ଦୈନିକ ଇଂରାଜୀ ଖବରକାଗଜ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଦଶମ ସଂସ୍କରଣ ଲିଟେରାରୀ ଫେଷ୍ଟ୍ ‘ଅ’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏପରି କହି ଭୁରି ଭୁରି ପ୍ରଶଂସା କରିଛନ୍ତି । ଉଭୟ ବଲିଉଡ୍ ଓ ହଲିଉଡ୍ ସିନେମାରେ ପରିଚୟ ହାସଲ କରଥିବା କବୀରଙ୍କୁ ଓଡ଼ିଆ ଖାଦ୍ୟ ବେଶୀ ପସନ୍ଦ । କୋଣାର୍କ ଓ ଧଉଳି ଶାନ୍ତିସ୍ତୂପ ଅଦ୍ଭୁତ କାରିଗରୀ ବି ତାଙ୍କୁ ଅଭିଭୁତ କରିଛି ।

ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଲେଜ ବେଳର ବନ୍ଧୁ । ସେ ଜଣେ ଭଲ ଆତ୍ମାର ମଣିଷ । ବିକାଶ କରୁଛନ୍ତି, ଥରେ ନୁହେଁ ୫ ଥର ରାଜ୍ୟବାସୀ ତାଙ୍କୁ ନିର୍ବାଚିତ କରିଛନ୍ତି । ଦେଶର ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ନବୀନ । ନବୀନଙ୍କ ଭଳି ନେତା ଅଦ୍ବିତୀୟ । ଜନସେବା ଓ ଲୋକକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନ୍ୟମାନେ ଶିଖିବା ଦରକାର ।’ ଅତୀତରେ ବି କବୀର ଓଡ଼ିଶା ଆସିଥିଲେ । କିନ୍ତୁ ଏବେ ଶିକ୍ଷାଠାରୁ ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି । ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ବେଶ୍ ସମୃଦ୍ଧ । ଓଡ଼ିଶୀ କଳାରେ ଅନୁପ୍ରେରିତ ହୋଇ କବୀରଙ୍କ ପ୍ରଥମ ପତ୍ନୀ ପ୍ରତିମା ବେଦୀ ସ୍ବର୍ଗତଃ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ଧଉଳି ଶାନ୍ତିସ୍ତୁପ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ହୋଇଥିବା ଡକ୍ୟୁମେଣ୍ଟାରିରେ ପ୍ରଚ୍ଛତପଟ ସ୍ବର ଦେଇଛନ୍ତି କବୀର ।

ସାରା ବିଶ୍ବରେ ଆତଙ୍କ ଖେଳାଇଥିଲା କୋଭିଡ ମହାମାରୀ । ଲକଡାଉନ ଓ ସଟଡାଇନ ଯୋଗୁଁ ଅନେକ ମାନସିକ ଭାରସାମ୍ୟ ହରାଇଥିଲେ । କୋଭିଡ ସଂକ୍ରମଣରେ ଯେତିକି ଲୋକଙ୍କର ପ୍ରାଣହାନୀ ହୋଇଥିଲା, ତାଠୁ ଅଧିକ ଲୋକ କୋଭିଡରୁ ଭଲ ହେବା ପରେ ମାନସିକ ରୋଗର ଶିକାର ହୋଇଥିଲେ । ବଲିଉଡ୍ ବି ଏଥିରୁ ବାଦ ଯାଇନି । ଏହାକୁ ନେଇ ଏକ ବହି ଲେଖିଛନ୍ତି କବୀର । ‘ଷ୍ଟୋରିଜ୍ ଆଇ ମଷ୍ଟ୍ ଟେଲ୍’ ନାମକ ବହିରେ ଲୋକଙ୍କୁ ସେ ମାନସିକସ୍ତରରେ ଦୃଢ ରହିବା ନେଇ ପରାମର୍ଶ ଦେଇଛନ୍ତି । ହଲିଉଡର ଜେମ୍ସ ବଣ୍ଡ୍ ଫିଲ୍ମରେ ଭିଲେନ୍ ଚରିତ୍ର ଓ ବଲିଉଡ ଫିଲ୍ମ ଖୁନ୍ ଭରି ମାଙ୍ଗରେ ତାଙ୍କ ଭୂମିକା କବୀରଙ୍କ ପାଇଁ ନିଆରା ଅନୁଭୂତି ଆଣିଥିଲା । ସାଣ୍ଡୋକନ୍ ଭଳି ଟେଲି ଧାରାବାହିକରେ ଅଭିନୟ କରି ସାରା ୟୁରୋପରେ କବୀରଙ୍କୁ ମିଳିଛି ଅଜସ୍ର ପ୍ରଶଂସା । ସେଥିପାଇଁ ୨୦୧୦ ମସିହାରେ ଇଟାଲୀ ସରକାର ତାଙ୍କୁ ସର୍ବୋଚ୍ଚ ବେସାମରିକ କାଭେଲେରି ସମ୍ମାନରେ ସମ୍ମାନିତ କରିଛନ୍ତି ।

ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ବ କାଳ ହଲିଉଡ ସିନେମାରେ ଅଭିନୟ କରିଛନ୍ତି କବୀର । ରୋମ୍, ଲଣ୍ଡନ୍ ଓ ଲସ୍ ଏଞ୍ଜଲେସ୍ ସହରକୁ ଭଲ ପାଉଥିବା କବୀର ବେଦୀଙ୍କର କିନ୍ତୁ ଓଡ଼ିଆ ଖାଦ୍ୟ ବେଶୀ ପସନ୍ଦ।