spot_img

Latest Posts

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଇଛନ୍ତି ଇସ୍ତଫା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦୀପ୍‌ ପଠାଇଲେ ତାଙ୍କର ଇସ୍ତଫା ପତ୍ର। ପ୍ରଦୀପ ମାଝୀ ହେଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ। ତେବେ ଏ ଇସ୍ତଫାରେ କୌଣସି ସୁଖ ନାହିଁ। କେବଳ ଦୁଃଖ ଓ କଷ୍ଟରେ ଏଭଳି ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ ମାଝି।

ତେବେ କଂଗ୍ରେସ ଛାଡି ପ୍ରଦୀପ ବିଜେଡିରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ଵର ଯାଏ ଏବେ ଲମ୍ବିଛି ଚର୍ଚ୍ଚା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ବିରାଟ ସମାବେଶରେ  ନିଜ ଶତାଧିକ ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ବିଜେଡିରେ ମିଶିବେ ବୋଲି ଯୋଜନା ହୋଇଥିବା କୁହାଯାଉଛି। ଏକଦା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜ୍ୟସଭା ସାଂସଦ ହୋଇଥିଲେ। ଆଉ କଂଗ୍ରେସରୁ ଲଗାତାର ଦୁଇ ଥର ହାରିବା ପରେ ପ୍ରଦୀପ ଏବେ ନିଜ ବାପାଙ୍କ ରାଜନୀତି ରାସ୍ତାରେ ଯାଇ ବିଜୁଙ୍କୁ ଆଦର୍ଶ କରି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସର ଏହି ଯୁବ ନେତା ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ। ପ୍ରଥମ ଥର ସାଂସଦ ଥିଲେ ବି ଯୁବ ନେତା ଭାବେ  ଦିଲ୍ଲୀ କଂଗ୍ରେସ  ରାଜନୀତିରେ ତାଙ୍କର ପ୍ରଭାବ ଭଲ  ଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ପ୍ରଦୀପ ମାଝୀ ମଧ୍ୟ  ରାହୁଲ ଗାନ୍ଧୀଙ୍କ କୋର ଟିମରେ ସଦସ୍ୟ ଥିଲେ। ହେଲେ ଲଗାତାର ୨ ଥର ସାଂସଦ ପ୍ରାର୍ଥୀ ହୋଇ ବି  ହାରିବା ପରେ ଏବେ ଦଳ ଛାଡ଼ିଛନ୍ତି ।

 

Latest Posts

Don't Miss