କଲ କଲେ ଘରୁ ସଂଗ୍ରହ ହେବ ସାମ୍ପୁଲ, ବୟସ୍କ ନାଗରିକଙ୍କ ପାଇଁ BMCର ବନ୍ଦୋବସ୍ତ

ଭୁବନେଶ୍ବର: ଲକଡାଉନ ଏବଂ ସଟଡାଉନରେ ବିଏମସି ଓ ପୋଲିସ ପ୍ରଶାସନ ସହ ସହଯୋଗ କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଏମସି କମିଶନର । ସୁରକ୍ଷା କବଚ ପାଇଁ ଲକଡାଉନ ଓ ସଟଡାଉନ କରିଛନ୍ତି । ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଯିବାନାହିଁ । ମାସ୍କ ଓ ସାମାଜିକ ଦୂରତା ମାନିବାକୁ ବାରମ୍ବାର ଅନୁରୋଧ କରାଯାଉଛି । କିନ୍ତୁ ଲକ୍ଷଣ ଦେଖାଗଲେ ଇଗ୍ନୋର କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ ।

ସେହିପରି ୧୯୨୯ କଲ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । ଏହି କଲ ସେଣ୍ଟର ଜରିଆରେ ଡାକ୍ତରୀ ପରାମର୍ଶ ମଧ୍ୟ ନିଆଯାଇପାରିବ । କିନ୍ତୁ ବରିଷ୍ଠ ନାଗରିକମାନେ ଟେଷ୍ଟିଂ ସେଣ୍ଟରକୁ ଯିବା ନେଇ ସମସ୍ୟା ରହୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ବୟସ୍କ ବରିଷ୍ଠ ନାଗରିକମାନେ ୧୯୨୯କୁ କଲ କରି ଠିକଣା ଓ ଫୋନ ନମ୍ବର ଦେଲେ ଘରୁ ସାମ୍ପୁଲ ସଂଗ୍ରହ କରାଯିବ ।

ଆସନ୍ତା ସୋମବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ବରରେ ଦୈନିକ ଟେଷ୍ଟିଂ ହାରକୁ ମଧ୍ୟ ବୃଦ୍ଧି କରାଯିବ । ଟିକାକରଣ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଏଥିପାଇଁ ଭିତ୍ତିଭୂମୀ ବୃଦ୍ଧି ପାଇଁ ଯୋଜନା କରାଯାଉଛି । ବରିଷ୍ଠ ନାଗରିକଙ୍କ ପାଇଁ ଘରେ ରହି ଟିକାକରଣ କରାଯିବ । ଘରେ ଏକା ରହୁଥିବା ବରିଷ୍ଠ ନାଗରିକ ୧୯୨୯କୁ କଲ କଲେ ସେମାନଙ୍କୁ ଟିକାକେନ୍ଦ୍ରକୁ ନେଇ ଟିକା ଦେବାର ବ୍ୟବସ୍ଥା କରାଯାଉଛି । ସୋମବାର ଠାରୁ ପୁଣି ଥରେ ଡ୍ରାଇଭ ଇନ ଟିକାକରଣ କରାଯିବ । ଭୁବନେଶ୍ବରରେ କୋଭିଡ ହସ୍ପିଟାଲରେ ବେଡ ଓ ଅକ୍ସିଜେନ ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

Leave a Reply