ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରୁ ଭିଡିଓ କନଫରେନସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶରେ ବିଭିନ୍ନ ତୀର୍ଥସ୍ଥାନ ବୁଲି ଦେଖିବାର ସୁଯୋଗ ପାଇଛନ୍ତି ।

ଆଜି ବାଲେଶ୍ୱର ଷ୍ଟେସନରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ଟ୍ରେନ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଯାତ୍ରୀମାନଙ୍କୁ ସହାୟତା ଯୋଗାଇବା ପାଇଁ ୩୦ଜଣ ଏସକର୍ଟ ଅଫିସର ମଧ୍ୟ ଯାଇଛନ୍ତି ।

ତୀର୍ଥ ଯାତ୍ରାରେ ଯାଉଥିବା ଯାତ୍ରୀମାନେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବାଲେଶ୍ୱର ଷ୍ଟେସନରେ ଆୟୋଜିନ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ବିଧାୟକମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କୁ ଯାତ୍ରା ଶୁଭକାମନା ଜଣାଇଥିଲେ ।

୨୦୧୬ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି । ୨୦୧୯-୨୦ବର୍ଷରେ ଆଉ ୩ଟି ତୀର୍ଥ ଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ୱର-ମଦୁରାଇ (ଜାନୁଆରୀ୨୦୨୦), ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ (ଫେବୃଆରୀ ୨୦୨୦),  ଭୁବନେଶ୍ୱରରୁ ଆହ୍ଲାବାଦ-ବନାରସ (ଫେବୃଆରୀ ୨୦୨୦)କୁ ଭ୍ରମଣର ସୁଯୋଗ ପାଇପାରିବେ।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପର୍ଯ୍ୟଟନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply