ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ

1 min read

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ବିଜେଡି-ବିଜେପି ମେଣ୍ଟ ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

୧୯୫୭ ମସିହା ଜାନୁଆରୀ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ସମୀର ଦେ । ତାଙ୍କ ବାପାଙ୍କ ନାମ ଅତୁଲ ପ୍ରସାଦ ଦେ ଏବଂ ପତ୍ନୀଙ୍କ ନାମ ଦୀପିକା ଦତ୍ତ ରାୟ । ଓକିଲାତି କରିବା ପରେ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ।

ସ୍ବର୍ଗତ ସମୀର ଦେ ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ଥିଲେ । କଟକ ବିଧାନସଭା ଆସନରୁ ସେ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ କଟକ ବିଧାନସଭା ଆସନରୁ ସେ ବିଜୟୀ ହୋଇଥିଲେ ।

ବିଜେପି-ବିଜେଡି ମେଣ୍ଟ ସରକାରରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ।  ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ପରଠୁ ଆଉ ନିର୍ବାଚନରେ ବିଜୟୀ ହୋଇପାରି ନଥିଲେ ସମୀର । ୨୦୦୯ରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କଠାରୁ ପରାଜିତ ହୋଇଥିବାବେଳେ ୨୦୧୯ରେ ତୃତୀୟ ସ୍ଥାନରେ ରହିଥିଲେ । ଗତ ଜୁଲାଇ ମାସରେ ସେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।