ଆତ୍ମହତ୍ୟା ରୋକିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍

1 min read

ନନ୍ଦିଘୋଷ ବ୍ୟୁରୋ: ରୋଗୀ ଆତ୍ମହତ୍ୟା କରିବାକୁ ଗଲେ ଡାକ୍ତରଙ୍କୁ ସତର୍କ ସୂଚନା ଦେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ । ଆମେରିକାର ଭାଣ୍ଡରବିଲ୍ଟ ୟୁନିଭରସିଟି ଅଫ୍ ମେଡିକାଲ ସାଇନ୍ସ୍ର ବୈଜ୍ଞାନିକମାନେ ଗବେଷଣା କରି ଭେଲ ଏଆଇ ବା VSAIL ବାହାର କରିଛନ୍ତି । ରୋଗୀର ବୈଦ୍ଯୁତିକ ତଥ୍ୟ ଆଧାରରେ ଯଦି ରୋଗୀ ମାନସିକ ସ୍ତରରେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛି ତାହେଲେ ୩୦ ଦିନ ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରକୁ ଏହାର ସତର୍କ ସୂଚନା ମିଳିଯିବ । ଯାହାଫଳରେ ସମ୍ପୃକ୍ତ ରୋଗୀକୁ ମାନସିକ ଚିକିତ୍ସା ଦ୍ବାରା ତାକୁ ଆତ୍ମହତ୍ୟା କରିବାରୁ ରକ୍ଷା କରିହେବ ।

ଆତ୍ମହତ୍ୟା ରୋକିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ । ଆମେରିକାର ଭାଣ୍ଡରବିଲ୍ଟ୍ ୟୁନିଭରସିଟି ଅଫ୍ ମେଡିକାଲ ସାଇନସ୍ର ବୈଜ୍ଞାନିକ ଗବେଷଣା କରି ଏପରି ଏକ ନୂଆ AI ଆବିଷ୍କାର କରିଛନ୍ତି । ରୋଗୀର ମନରେ ଯଦି ଆତ୍ମହତ୍ୟା କରିବାର ଇଚ୍ଛା ଜନ୍ମେ । ତାହେଲେ ୩୦ ଦିନ ପୂର୍ବରୁ ରୋଗୀକୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସତର୍କ ସୂଚନା ଦେବ AI । ଯାହାକୁ କହୁଛନ୍ତି ଭାଣ୍ଡରବିଲ୍ଟ ସୁଇସାଇଡ ଆଟେମ୍ପ୍ଟ ଆଣ୍ଡ୍ ଆଇଡିଏସନ୍ ଲାଇକ୍ଲିହୁଡ୍ ମଡେଲ  ବା VSAIL । ମାନସିକ ରୋଗ ଚିକିତ୍ସକଙ୍କ ମତରେ ଏପରି ଆବିଷ୍କାର ଆତ୍ମହତ୍ୟା ରୋକିବା କ୍ଷେତ୍ରରେ ବଡ଼ ବିପ୍ଲବ ଆଣିବ ।

ଆଜିକାଲି ଭଲ ସୁସ୍ଥ ଲୋକଙ୍କ ଭିତରେ ଛୋଟ ଛୋଟ କଥାରୁ ଆତ୍ମହତ୍ୟାପ୍ରବଣତା ବଢୁଛି । ପ୍ରେମରେ ଅସଫଳ, ଅତିରିକ୍ତ ମାନସିକ ଚାପ, ପରୀକ୍ଷାରେ ଭଲ ଫଳ ନ ମିଳିବା, ବିଷାଦଗ୍ରସ୍ତ, ବ୍ୟବସାୟରେ କ୍ଷତି, ହଠାତ ଆତ୍ମୀୟଙ୍କ ପ୍ରାଣହାନୀ, ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଗଲେ ବ୍ୟକ୍ତି ତାର ମାନସିକ ସନ୍ତୁଳନ ହରାଉଛି । କେବଳ ବିଷାଦଗ୍ରସ୍ତ ହେଲେ ଆତ୍ମହତ୍ୟା କରୁନାହାନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତିର ଲକ୍ଷଣରେ ବ୍ୟାପକ ପରିବର୍ତ୍ତନ ଦେଖାଦେବ । ଲୋକଟି ସମସ୍ତଙ୍କ ସହିତ ମିଶୁଥିବ, ହଠାତ୍ ଦେଖାହେବା, ମିଶିବା ବନ୍ଦ କରିଦିଏ । ଖାଇବାକୁ ଇଚ୍ଛା ତାର ମରିଯିବ । ହଠାତ ସମସ୍ତଙ୍କୁ ମିଠା ବାଣ୍ଟିବ । ରୋଗୀର ମାନସିକ ସ୍ତରରେ ଏପରି ପରିବର୍ତ୍ତନ ଦେଖାଦେଲେ VSAIL ଡାକ୍ତରଙ୍କୁ ସତର୍କ କରାଇଦେବ ।

ଡାକ୍ତର ରୋଗୀର ଲକ୍ଷଣ ଦେଖି ଚିକିତ୍ସା କରେ । କିନ୍ତୁ ତାର ମାନସିକ ସ୍ତରରେ କଣ ଚାଲିଛି । ତାକୁ ଡାକ୍ତର ଜାଣିପାରିବନି । ନୂଆ ଗବେଷଣା ଅନୁଯାୟୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ ସ୍ବୟଂକ୍ରିୟ ଭାବେ କାମ କରିବ  । ପୂର୍ବରୁ ଗଚ୍ଛିତ ଥିବା ରୋଗୀର ତଥ୍ୟକୁ ବିଶ୍ଲେଷଣ କରି ସେହି ରୋଗୀଟି ଯେତେଦୂରରେ ଥିଲେ ବି ତାର ମସ୍ତିଷ୍କରେ ଘଟୁଥିବା ପରିବର୍ତ୍ତନକୁ ଜ୍ୟୋତିଷ ଭଳି ପୂର୍ବାନୁମାନ କରି କହିଦେବ ଏଆଇ । ଯେତେବେଲେ ଡାକ୍ତର ସମ୍ପୃକ୍ତ ରୋଗୀ ପାଇଁ ଚିକିତ୍ସା ସେବାରେ କିଛି ପରିବର୍ତ୍ତନ କରିବାକୁ ଯାଉଥିବେ ।

ଏହି ସମୟରେ AI ତାର ମାନସିକ ସ୍ତରରେ ଆତ୍ମହତ୍ୟା କରିବାକୁ ଥିବା ଇଚ୍ଛା ଜନ୍ମିବା ନେଇ ସତର୍କ ସୂଚନା ପଠାଇଲେ ରୋଗୀର ଜୀବନ ବଞ୍ଚାଇହେବ । ଏହା ଏବେ ଆମେରିକାରେ ପରୀକ୍ଷା ନିରୀକ୍ଷା ଚାଲିଛି । ଆଗକୁ ଭାରତରେ ଏହି AI ଉପଲବ୍ଧ ହେବ । କେବଳ ଦୁରାରୋଗ୍ୟ ଚିକିତ୍ସାଧୀନ ରୋଗୀଙ୍କ କଥା ନୁହେଁ । ତଥ୍ୟରୁ ଜଣାପଡ଼ିଛି ଆତ୍ମହତ୍ୟା କରିଥିବା ୭୭ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା କରିବାର ବର୍ଷକ ପୂର୍ବରୁ ପ୍ରାଥମିକ ଚିକିତ୍ସକଙ୍କଠାରୁ ପରାମର୍ଶ ନେଇଥାନ୍ତି ।

ଏବେ ଇଣ୍ଟରନେଟ୍ ଯୁଗରେ ଆତ୍ମହତ୍ୟା କରିବା ପାଇଁ ବହୁ ଉପାୟ ଉପଲବ୍ଧ ହେଉଛି । ଯେଉଁଥିପାଇଁ ଛୋଟ ପିଲାଠୁ ଆରମ୍ଭ କରି ଉଚ୍ଚ ଶିକ୍ଷିତ ବ୍ୟକ୍ତି ଆତ୍ମହତ୍ୟା କରିବା ଘଟଣା ସାମନାକୁ ଆସୁଛି । ନୂଆ AI ସବୁ ଡାକ୍ତରଖାନାରେ ଯେତେ ଶୀଘ୍ର ଉପଲବ୍ଧ ହେବ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ । ଖାଲି ଚିକିତ୍ସା କ୍ଷେତ୍ରରେ ନୁହେଁ, ଧୀରେ ଧୀରେ ଏହାର ବ୍ୟବହାର ପୋଲିସ ପାଇଁ ବି ହୋଇପାରିବ।