spot_img

Latest Posts

ମିଶନ ଶକ୍ତି SHGଙ୍କ ପାଇଁ ଗାଁ ଗହଳିରେ ପହଞ୍ଚି ପାରିଛି ବ୍ୟାଙ୍କିଂ ସେବା

କଟକ: ଅପହଞ୍ଚ ଅଞ୍ଚଳରେ ବରିଷ୍ଠ ନାଗରିକ ମାନଙ୍କୁ ଏବେ ଘର ନିକଟରେ ମିଳିପାରୁଛି ବ୍ୟାଙ୍କିଂ ସେବା । ଅପହଞ୍ଚ ଅଞ୍ଚଳରେ ଏଭଳି ଗ୍ରାହକ ଅନୁକୂଳ ବିଜିନେସ୍‌ କରେସ୍‌ପଣ୍ଡେଣ୍ଟ ଏଜେଣ୍ଟ ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଉଛି । ଯାହା ବ୍ୟାଙ୍କ ସଖୀ ନାମରେ ଜଣାଶୁଣା।

କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ର କାଠଖୁଣ୍ଟା ଗ୍ରାମ ପଞ୍ଚାୟତର ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ବ୍ୟାଙ୍କ ସେବା ପାଇଁ ଆଉ ଦୀର୍ଘ ପଥ ଯିବାକୁ ପଡ଼ୁନାହିଁ ।

ସେହି ଗାଁର ବ୍ୟାଙ୍କ ସଖୀ ଭାବେ ନିୟୋଜିତ ସରସ୍ୱତୀ ମହାଳିକ କୁହନ୍ତି, “କୋଭିଡ୍‌ ମହାମାରୀ ସମୟରେ ନିଜ ଘର ପାଖରେ ଏଭଳି ଅତ୍ୟାବଶ୍ୟକୀୟ ବ୍ୟାଙ୍କ ସେବା ଯୋଗାଇଦେବା ସ୍ଥାନୀୟ ଜନସାଧାରଣଙ୍କୁ ବେଶ୍‌ ଆଶ୍ୱସ୍ତି ପ୍ରଦାନ କରିଛି ।

ଜଣେ ବୟସ୍କ ପେନ୍‌ସନ୍‌ଭୋଗୀ ଗଙ୍ଗା ନାୟକ କୁହନ୍ତି, ‘କେବଳ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ମୋ ଗାଁଠାରୁ ବେଶ୍‌ କିଛି କିଲୋମିଟର ଦୂରରେ ଥିବା ବ୍ୟାଙ୍କକୁ ଯିବା ପାଇଁ ମୁଁ ଆଉ ଜଣଙ୍କ ସହାୟତା ନେଉଥିଲି ଏବଂ ପେନ୍‌ସନ୍‌ ଟଙ୍କାରୁ କିଛି ଅର୍ଥ ମୋତେ ଯାତାୟତ ବାବଦକୁ ଖର୍ଚ୍ଚ କରିବାକୁ ପଡ଼ୁଥିଲା।

ବ୍ୟାଙ୍କ ସଖୀମାନଙ୍କ ଜରିଆରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ମାନଙ୍କ ନିକଟରେ ପହଞ୍ଚୁଥିବା ଏହି ସେବା ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ଯେଉଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ୍‌ ନାହିଁ ସେଠାରେ ସାଧାରଣ ଲୋକଙ୍କୁ ସୁବିଧାରେ ବ୍ୟାଙ୍କ୍‌ ସେବା ଯୋଗାଇଦେବା ଏକ ବଡ ଆହ୍ୱାନ ଥିଲା।

ସୂଚନା ଅନୁଯାୟୀ, ସହଯୋଗୀ ବ୍ୟାଙ୍କଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଜନସାଧାରଣଙ୍କ ପାଇଁ ମୌଳିକ ବ୍ୟାଙ୍କ୍‌ ସେବା ଉପଲବ୍ଧ କରାଇବା ନିମନ୍ତେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସଖୀ ଭାବେ ନିୟୋଜିତ କରାଯାଇଛି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌, ୟସ୍‌ ବ୍ୟାଙ୍କ୍‌, ଆଇସିଆଇସିଆଇ ବ୍ୟାଙ୍କ୍‌, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ସହଭାଗିତାରେ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ୧୨୫୨ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ବ୍ୟାଙ୍କିଂସେବାରେ ନିୟୋଜିତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଏହି ସେବା ଆରମ୍ଭ ହେବାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ବ୍ୟାଙ୍କ ସଖି ମାନଙ୍କୁ ମାସିକ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଏପର୍ଯ୍ୟନ୍ତ ବ୍ୟାଙ୍କ ସଖିଙ୍କ ଦ୍ୱାରା ପ୍ରାୟ ୨୩୦ କୋଟି ଟଙ୍କାର ଆର୍ଥିକ କାରବାର କରାଯାଇଛି । ବ୍ୟାଙ୍କ ସଖି ମାନେ ମାସିକ ୩ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଯୋଗୁ ଯେଉଁ ଗାଁ ଗୁଡିକ ବ୍ୟାଙ୍କ ସେବା ପାଇବାରୁ ବଂଚିତ ହୋଇଥିଲେ ଏବେ ସେମାନଙ୍କ ପାଖରେ ମଧ୍ୟ ବ୍ୟାଙ୍କ ସେବା ପହଂଚି ପାରିଛି ।

Latest Posts

Don't Miss