ଦୀପାବଳି ପରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ, ହାତ ଶିବିରରେ ଉତ୍ସାହ

ଭୁବନେଶ୍ବର: ଦୀପାବଳିରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ପଡ଼ୋଶୀ ଛତିଶଗଡ଼ର କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ମୁଖିଆ ବାଛିବାର ଦାୟିତ୍ବ ଦେଇଛି ଏଆଇସିସି । ତାଙ୍କ ସହ ରାହୁଲ ଗାନ୍ଧୀଙ୍କ କୋର ଟିମ ତଥା ଓଡ଼ିଶାରେ କାମ କରୁଥିବା ମିନାକ୍ଷୀ ନଟରାଜନଙ୍କୁ ପିସିସି ଚୟନ ଲାଗି ଦାୟିତ୍ବ ଦିଆଯାଇଛି । ଶୀଘ୍ର ଏହି ଦୁଇ ନେତା ଆସି ଓଡ଼ିଶା ନେତାଙ୍କ ମତାମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ । ଏଆଇସିସି ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିଥିବାରୁ ହାତ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? କାହାକୁ ସଭାପତି କଲେ କଂଗ୍ରେସ ହେବ ସଂଗଠିତ ? ଏହାର ଉତ୍ତର ମିଳୁ ନଥିବା ବେଳେ ଦଳୀୟ ନେତା କହିଲେଣି ଆଉ ଅଳ୍ପ ଦିନର ଅପେକ୍ଷା । ଦୀପାବଳି ପରେ ରାଜ୍ଯ କଂଗ୍ରେସ ପାଇବ ନୂଆ ମୁଖିଆ । ଶହେରୁ ଅଧିକ ଦିନ ହେବ ମୁଖିଆ ଶୂନ୍ୟ ହୋଇଥିବା ଓଡ଼ିଶା କଂଗ୍ରେସକୁ ନୂଆ ମଙ୍ଗୁଆଳ ଦେବାକୁ ଏଆଇସିସି ଆରମ୍ଭ କରିଛି ପ୍ରକ୍ରିୟା । ପଡ଼ୋଶୀ ଛତିଗଶଡ଼ର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନଙ୍କୁ ଓଡ଼ିଶାରେ ପିସିସି ସଭାପତି ମନୋନୟନ ଲାଗି ଗୁରୁ ଦାୟିତ୍ବ ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ।

ଆସନ୍ତା ସପ୍ତାହରେ ସେମାନେ ଓଡ଼ିଶା ଆସି ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିବେ । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଦୀପାବଳୀ ସୁଦ୍ଧା ଓଡ଼ିଶାରେ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ । ସମସ୍ତଙ୍କ ମତାମତ ନେଇ ସଭାପତି ବାଛିବା ପାଇଁ ଏଆଇସିସି ୨ ଜଣ ନେତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି । ସେହିପରି ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଦଳ ପ୍ରତି ଆନୁଗତ୍ୟ ଓ ସମସ୍ତଙ୍କୁ ନେଇ ଚାଲିପାରୁଥିବା ନେତାଙ୍କୁ ପିସିସି ସଭାପତି କରିବାକୁ ହାଇକମାଣ୍ଡ ଚିନ୍ତା କରିଛନ୍ତି, ଯାହା ସ୍ବାଗତ ଯୋଗ୍ୟ ।

ଏଆଇସିସି ଅଧ୍ୟକ୍ଷ ଓଡ଼ିଶା ପିସିସି ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସଭାପତି ରେସରେ ବହୁ ନେତାଙ୍କ ନାଁ ଯୋଡ଼ି ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ଶରତ ରାଉତ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଓ ବିଶ୍ବ ରଞ୍ଜନ ମହାନ୍ତିଙ୍କ ନାଁ ତାଲିକାରେ ରହିଛି । ଏମାନଙ୍କୁ ବାଦ ଦେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ତାରା ପ୍ରସାଦ ବାହିନୀପତିଙ୍କ ନାଁ ମଧ୍ଯ ଶୁଣାଯାଉଛି । ଏପରି ସ୍ଥିତିରେ ଯାହାକୁ ହାଇକମାଣ୍ଡ ଦାୟିତ୍ବ ଦେବେ ସେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ପର୍ବତନ ପିସିସି ସଭାପତି ଜୟଦେବ ଜେନା । ପୂର୍ବରୁ ଦୁଇଥର ସଭାପତି ହୋଇଥିବା ଜୟଦେବ ଜେନାଙ୍କୁ ଯଦି ପୁଣି ଥରେ ସୁଯୋଗ ଦେବେ ତେବେ ସେ ଦାୟିତ୍ବ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଅନ୍ୟପଟେ ପିସିସି ସଭାପତି ମନୋନୟନ ଏକ ପ୍ରତିଯୋଗିତା ନୁହେଁ ବୋଲି କହିଛନ୍ତି କଂଗ୍ରେସ ଛାଡି ବାହୁଡି ଆସିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ।

୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜୁଲାଇ ୨୧ ତାରିଖରେ ଏଆଇସିସି ପିସିସିକୁ ଭାଙ୍ଗି ଦେଇଥିଲା । ୨୧ ଜଣିଆ ଷ୍ଟିୟରିଂ କମିଟି ଜରିଆରେ କଂଗ୍ରେସକୁ କ୍ରୀୟାଶୀଳ କରିବାକୁ ଏଆଇସିସି ଚେଷ୍ଟା କରିଥିଲା । ହେଲେ ତାହା ମଧ୍ଯ ଫେଲ ମାରିଥିଲା । ଏହାରି ଭିତରେ ଦଳର ଭୋଟ ହାର ୧୩ ପ୍ରତିଶତରେ ପହଞ୍ଚିବା ସହ ସଙ୍ଗଠନ ଏକ ରକମ ସ୍ଥାଣୁ ପାଲଟି ଯାଇଛି । ଏପରି ସ୍ଥିତିରେ କାହାକୁ ମୁଖିଆ କରାଗଲେ କଂଗ୍ରେସ ସଙ୍ଗଠନକୁ ସଞ୍ଜୀବନୀ ମିଳିବ ତାହାକୁ ନେଇ ହାତ ଶିବିରରେ ଚାଲିଛି ଆଲୋଚନା ।