ମହଙ୍ଗା ପଡ଼ିଲା ସିନେମା ହଲରେ ଗଣ୍ଡଗୋଳ, ବିଚାର ବିଭାଗୀୟ ହାଜତକୁ ଗଲେ ସାଲୁଜାଙ୍କ ପୁଅ

1 min read

କଣ୍ଟାବାଞ୍ଜି: ମହଙ୍ଗା ପଡ଼ିଲା ସିନେମା ହଲରେ ଗଣ୍ଡଗୋଳ । ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା । ପାଟଣାଗଡ଼ କୋର୍ଟରେ ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇଲା ପୋଲିସ । ସେଜିଙ୍କ ସହ ୫ ଜଣ ସହଯୋଗୀକୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ପ୍ରକାଶ ଭୋଇ । ଘଟଣାର ତଦନ୍ତ କରୁଛି ବେଲପଡ଼ା ପୋଲିସ । ଗତକାଲି ଆଲିସାନ ସିନେମା ହଲର ମାଲିକଙ୍କ ସହ ବଟି ଆଦାୟକୁ ନେଇ ସେଜୀ ସିଂ ସାଲୁଜାଙ୍କ ସହ ଯୁକ୍ତିତର୍କ ହୋଇଥଲା । ସେଜୀ ସିଂ ବନ୍ଧୁକ ଦେଖାଇ ମାଲିକକୁ ମାଡ଼ ମାରିବା ସହ ସିନେମା ହଲର କର୍ମଚାରୀଙ୍କ ଫୋନ ଛଡ଼ାଇ ନେଇଥିଲେ । ପରେ ସିସିଟିଭି ହାର୍ଡ ଡିସ୍କକୁ ନେଇ ଖସିଯିବାକୁ ଚେଷ୍ଟା କରିଥିଲେ ।

ସିନେମା ହଲ ମାଲିକ ବେଲପଡ଼ା ପୋଲିସକୁ ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ସହିତ ହଲରେ ସେଜି ସିଂ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର କରିଥିଲେ । ପୋଲିସ ସେଜିଙ୍କୁ ବେଲପଡ଼ା ଥାନାକୁ ନେଇ ଅଧିକ ତଦନ୍ତ କରିଥିଲା । ଏହା ସହ ବିଳମ୍ୱିତ ରାତିରେ ସେଜୀ ସିଂଙ୍କ ଜିମରେ ଚଢାଉ କରିଥିଲା । ସେଜିଙ୍କ ଜିମରୁ ନଗଦ ୧୯ ଲକ୍ଷ ଟଙ୍କା ଓ ମଦ ଜବତ କରିଛି ପୋଲିସ । ସେପଟେ ସିନେମା ହଲ ମାଲିକଙ୍କ ଭାଇ କହିବା ଅନୁସାରେ ସେଜି ସିଂ ଗୁଣ୍ଡା ମାନଙ୍କ ସହ ଆସି ମାଡ଼ ମାରିବା ସହ ବନ୍ଧୁକ ମୁନରେ ଧମକ ଦେଇ ଟଙ୍କା ମାଗିଥିବା କହିଛନ୍ତି । ଘଟଣାରେ  ଆଉ ୭ରୁ ୮ ଜଣ ଅଭିଯୁକ୍ତ ଫେରାର୍ ଥିବା ନେଇ ପୋଲିସ ସୂଚନା ଦେଇଛି I