ଭୁବନେଶ୍ବରରୁ ନକଲି କଫ୍ ସିରପ୍ ଜବତ ଘଟଣା, ଆନ୍ତଃରାଜ୍ୟ ରାକେଟର ଲିଙ୍କ୍ ଖୋଜୁଛି ପୋଲିସ

1 min read

ଭୁବନେଶ୍ୱର: ସାବଧାନ, ଜୀବନ ନେଇପାରେ କଫ ସିରପ୍ । ଅହମ୍ମଦାବାଦରୁ ନୟାଗଡ଼ ଭାୟା ଭୁବନେଶ୍ୱର । ରଦ୍ଦ ହେବ ଫାର୍ମା କମ୍ପାନୀ ପ୍ରୋପାଇଟର ଲାଇସେନ୍ସ । ଗୁମର ଖୋଲିବା ପାଇଁ ରାଜ୍ୟ ବାହାରକୁ ଯିବ କମିଶନରେଟ୍ ପୋଲିସ । ଲକ୍ଷାଧିକ ଟଙ୍କାର ପେଟି ପେଟି କଫ ସିରପ୍ ଓଡିଶାକୁ କିଏ ଆଣୁଥିଲା ? କ’ଣ ପାଇଁ ଏହାର ବ୍ୟବହାର ହେଉଥିଲା ? ଏସବୁର ରହସ୍ୟ ଜାଣିବା ପାଇଁ ଗଠନ ହେଲା ସ୍ପେଶାଲ ଟିମ୍ । ଭରତପୁର ଥାନା ପକ୍ଷରୁ ମଞ୍ଚେଶ୍ୱର MS Pharma ଉପରେ ଚଢ଼ାଉ କରାଯାଇଥିବା ବେଳେ ଏହାର ମୁଖ୍ୟ ପ୍ରବୀଣ ଦାସ କେଉଁଆଡେ ଫେରାର ହୋଇଯାଇଛନ୍ତି । ସେପଟେ ଗିରଫ ୨ ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ଅହମ୍ମଦାବାଦରୁ ଆସୁଥିବା ସିରପ୍ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଥିଲା । ବଲାଙ୍ଗୀରରୁ ଗତ ମାସରେ ଜବତ ୪୦ ଲକ୍ଷ ଟଙ୍କାର ସମାନ ବ୍ରାଣ୍ଡର କଫ୍ ସିରପ ଜବତ ହୋଇଥିଲା। ଏଣୁ ଆବଶ୍ୟକ ସ୍ଥଳେ ଏହାର ମ୍ୟାନୁଫ୍ୟାକଚର ଲୋକେସନ ଅହମ୍ମଦାବାଦକୁ ଖୁବଶୀଘ୍ର ଗସ୍ତ କରିବ କମିଶନରେଟ ପୋଲିସ ।

ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ୍ରଗ୍ସ ଇନ୍ସପେକ୍ଟର ଭରତପୁର ଥାନାରେ ପହଞ୍ଚି କଫ୍ ସିରପର ସାମ୍ପୁଲ ସଂଗ୍ରହ କରି ଲାବରେଟୋରିକୁ ପଠାଇଛନ୍ତି । ଖୁବଶୀଘ୍ର ସଂପୃକ୍ତ ଫାର୍ମା କମ୍ପାନୀ ପ୍ରୋପାଇଟରଙ୍କ ଲାଇସେନ୍ସ ରଦ୍ଦ କରାଯିବ । ନିଶାର କବଳିତ ହେବା ପାଇଁ ଯୁବପିଢି ବିନା ପ୍ରେସକ୍ରିପ୍ସନରେ ଔଷଧ ଦୋକାନରୁ କଫ୍ ସିରପ୍ କିଣୁଛନ୍ତି । ବେଆଇନ ଭାବେ କିଛି ଅସାମାଜିକ କଫ ସିରପରେ N10 ଭଳି ମାରାତ୍ମକ ବଟିକା ମଧ୍ୟ ପକାଉଛନ୍ତି । ଏଣୁ ଏମାନଙ୍କୁ ଧରିବା ସହ ଆଗାମୀ ଦିନରେ ରାଜଧାନୀରେ ଥିବା ସନ୍ଦିଗ୍ଧ ମେଡିସିନ ଷ୍ଟୋରରେ ଚଢ଼ାଉ ହେବ ବୋଲି କହିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର । ଶସ୍ତା ଯୋଗୁଁ ମଦ ଓ ବ୍ରାଉନସୁଗରର ବିକଳ୍ପ ସାଜିଛି କଫ୍ ସିରପ୍ । ତେଣୁ ଏହାର ମାଷ୍ଟରମାଇଣ୍ଡକୁ ଧରାଗଲେ ଜୀବନ ନାଶକ କାରବାରରେ ରୋକ ଲାଗିପାରନ୍ତା ବୋଲି କହିଛନ୍ତି ବିଶେଷଜ୍ଞ ।