ଗୋଟିଏ ଘଣ୍ଟାରେ ୩ ଦେଶରେ ୪ ଥର ଭୂକମ୍ପ, ଦୋହଲିଗଲା ଭାରତ ସମେତ ମିଆଁମାର ଓ ତାଜିକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଘଣ୍ଟାରେ ୪ ଥର ଭୂକମ୍ପ । ଭାରତ ସମେତ ମିଆଁମାର ଓ ତାଜିକିସ୍ତାନରେ ଭୂକମ୍ପ ଝଟକା । ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ହୋଇଥିବା ବେଳେ ଭାରତ ଓ ମିଆଁମାରରେ ଥରେ ଲେଖାଏଁ ଝଟକା ଲାଗିଛି । ମିଆଁମାରରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି । ଭୂମିଠାରୁ ୧୦ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ।
ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଲୋକେ ଘରୁ ବାହାରକୁ ଦୌଡ଼ି ଚାଲି ଆସିଥିଲେ । କିଛି ଘରର ଛାତ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇଥିବା କି କାହାର ମୃତ୍ୟୁ ଘଟିଥିବା ଜଣାପଡ଼ିନି । ମିଆଁମାରର ମେଇକଟିଲା ନିକଟରେ ଭୂକମ୍ପ ଅନୁଭୂତ ହୋଇଥିଲା।
ସେହିପରି ଭାରତର ହିମାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିଆକ୍ଟର ସେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଭୂମିଠାରୁ ୫ କିମି ଗଭୀରରେ ଥିଲା ଏହାର କେନ୍ଦ୍ରସ୍ଥଳ । ତେବେ ଭୂକମ୍ପରେ ମୃତାହତଙ୍କୁ ନେଇ କୌଣସି ସୂଚନା ମିଳିନି ।
ତାଜିକିସ୍ତାନରେ ମଧ୍ୟ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି । ତାଜିକିସ୍ତାନରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଛି । ଗୋଟିଏ ଘଣ୍ଟା ମଧ୍ୟରେ ତାଜିକିସ୍ତାନରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ନହିଁ ।
ଗତ ମାର୍ଚ୍ଚ ୨୮ ତାରିଖରେ ମିଆଁମାର ଓ ଥାଇଲାଣ୍ଡରେ ତାଣ୍ଡବ ରଚିଥିଲା ଭୂକମ୍ପ । ମିଆଁମାର ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୬୪୯ ଲୋକଙ୍କ ଜୀବନ ଯାଇଛି । ୨୮ ମାର୍ଚ୍ଚରେ ମିଆଁମାରରେ ଘଟିଥିବା ୭.୭ ତୀବ୍ରତାର ଭୟଙ୍କର ଭୂକମ୍ପରୁ ଲୋକମାନେ ଏପର୍ଯ୍ୟନ୍ତ ଆଶ୍ଵସ୍ତି ପାଇନାହାନ୍ତି । ସେପଟେ ଆଜି ପୁଣି ଭୂକମ୍ପ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ରିଲିଫ୍ କାର୍ଯ୍ୟ ଏବେ ବି ଜାରି ରହିଛି । ଗତ ମାର୍ଚ୍ଚରେ ହୋଇଥିବା ଭୂକମ୍ପରେ ୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।