ବାଲେଶ୍ବର ଟ୍ରେନ୍ ଟ୍ରାଜେଡି, ବାପା ମାଆ ହରାଇଥିବା ପିଲାଙ୍କୁ ମାଗଣା ପଢ଼ାଇବେ ସେହଓ୍ବାଗ

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣ ସାରା ଦେଶକୁ ଥରାଇ ଦେଇଛି । ଏବେ ଯାଏ ଅନେକ ଶବ ଚିହ୍ନଟ ହୋଇ ନଥିଲାବେଳେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ । ଏହାରି ଭିତରେ ଆହତ ଏବଂ ମୃତକଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଅନେକ ସଂଗଠନ ।

କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଦୁର୍ଘଟଣାରେ ବାପା ମାଆ ହରାଇଥିବା ଅନାଥ ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଛନ୍ତି ବୀରେନ୍ଦ୍ର ସେହଓ୍ବାଗ । ସେହଓ୍ବାଗ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ଟ୍ବିଟ କରି ବୀରେନ୍ଦ୍ର କହିଛନ୍ତି, ଏ ଫଟୋ ଆମକୁ ଅନେକ ସମୟ ଯାଏ ଭୟଭୀତ କରାଇବ । ଏଭଳି ଦୁଃଖର ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କ ପାଠ ପଢ଼ାରେ ମୁଁ ସାହାଯ୍ୟ କରିବି । ସେହଓ୍ବାଗ ଇଣ୍ଟରନାସନାଲ ସ୍କୁଲ ବୋର୍ଡିଂ ଫେସିଲିଟିରେ ମୁଁ ଏହି ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବି ।

କେବଳ ସେହଓ୍ବାଗ ନୁହେଁ କ୍ରିକେଟରଙ୍କଠୁ ଆରମ୍ଭ କରି ବହୁ ସେଲିବ୍ରିଟି ମଧ୍ୟ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।