ଚାଷୀ ପୋଷଣ ନା ଚାଷୀ ଶୋଷଣ, ଚାଷୀ ମାରଣର ନୂଆ ଫଣ୍ଡାରେ ଡବଲ ଇଞ୍ଜିନ ସରକାର

1 min read

ନନ୍ଦିଘୋଷ ବ୍ୟୁରୋ : ସରକାରୀ ବିହନ ନେଇ ହତାଶ ଚାଷୀ । ସାମନାକୁ ଆସିଛି ରାଜ୍ୟ ବିହନ ନିଗମର ବଡ଼ କେଳେଙ୍କାରୀ । ପିଆଜ, ମେଥି ଓ ଲଙ୍କା ବିହନ ଗଜା ନ ହେବାରୁ ଗଞ୍ଜାମ ଜିଲ୍ଲାରେ ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ରାଷ୍ଟ୍ରାୟତ୍ତ ସଂସ୍ଥା କମ୍ ଟଙ୍କାରେ ଟେଣ୍ଡର ପକାଇଥିଲେ । ହେଲେ ରାଜ୍ୟ ବିହନ ନିଗମ କାହା ଚାପରେ ମଧ୍ୟପ୍ରଦେଶ ଭୋପାଳର ଏକ ଘରୋଇ ସଂସ୍ଥାରୁ ଅଧିକ ଦରରେ ବିହନ କିଣି ଚାଷୀଙ୍କୁ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ରାଜ୍ୟ ବିହନ ନିଗମରେ କୌଣସି ଅଧିକାରୀ ନାହାନ୍ତି କି ଅଧ୍ୟକ୍ଷ ଦାୟିତ୍ବରେ ଥିବା କୃଷି ବିଭାଗ ସଚିବଙ୍କୁ ଯୋଗାଯୋଗ କରାଗଲେ ବି କାର୍ଯ୍ୟବ୍ୟସ୍ତତା ଦର୍ଶାଇ ପଛଘୁଞ୍ଚା ଦେଉଛନ୍ତି । ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

୨୦୨୪-୨୫ ଖରିଫ ବର୍ଷରେ ରବି ଫସଲ ପାଇଁ ପିଆଜ, ଲଙ୍କା, ମେଥି ଓ ପନିପରିବା ବିହନର ମିନି କିଟ୍ ଯୋଗାଇବାକୁ ରାଜ୍ୟ ବିହନ ନିଗମ ଇ-ଟେଣ୍ଡର ଆହ୍ବାନ କଲା । ବିଭିନ୍ନ ପନିପରିବା ବିହନ କିଲୋ ୪୪୭ ଟଙ୍କାରେ ଯୋଗାଇବାକୁ ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ତାନ ଇନ୍ସେକ୍ଟିସାଇଡ୍ସ୍ ଲିମିଟେଡ୍ ଟେଣ୍ଡର ପକାଇଥିଲା । କିନ୍ତୁ ରାଜ୍ୟ ବିହନ ନିଗମର ବୈଷୟିକ କମିଟି ରାଷ୍ଟ୍ରାୟତ୍ତ ସଂସ୍ଥାକୁ ଛାଡ଼ି ଭୋପାଳର ଏକ ଘରୋଇ ସଂସ୍ଥାକୁ କିଲୋ ପିଛା ୫୬୦ ଟଙ୍କାରେ ଯୋଗାଇବାକୁ ଚୟନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ହେଲେ ସେ ମଞ୍ଜିରୁ ଗଛ ହେଉନାହିଁ ବୋଲି ଗଞ୍ଜାମର ଚାଷୀ ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ, ପ୍ୟାକେଟ୍ ଉପରେ କମ୍ପାନୀର ନାଁ ନାହିଁ,d ଲଟ୍ ନମ୍ବର ନାହିଁ । କେବେ ପ୍ରସ୍ତୁତ ହୋଇଥିବା ପ୍ରାମାଣିକ ବିହନ ତାର କୌଣସି ସୂଚନା ନାହିଁ । କେବଳ ରାଜ୍ୟ କୃଷି ବିଭାଗ ସହିତ ରାଜ୍ୟ ବିହନ ନିଗମ ବିପ୍ପଣନ କରିଥିବା ନେଇ ସୂଚନା ରହିଛି । ଯାହାକୁ ନେଇ ବଡ଼ ଧରଣର ଘୋଟାଲା ହୋଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି । ଯଦି ଏହାର ତଦନ୍ତ ନ ହୁଏ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି । ଅନ୍ୟପଟେ ଏ ନେଇ ନନ୍ଦିଘୋଷ ଟିଭି ଖୋଳତାଡ଼ ପରେ ବିହନ ନିଗମର ବାବୁ ଧରାଛୁଆଁ ଦେଉନାହାନ୍ତି ।