ପୌର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ନେତା ବାଛିବ ସହର । ରାଜ୍ୟରେ ପଡ଼ିବ ପୌର ଭୋଟ୍ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ହେବ ନିର୍ବାଚନ । ଏହାରି ଭିତରେ ରହିଛି ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମ । ୪ ହଜାର ୩୭୩ ବୁଥରେ ମୋଟ ୪୦ ଲକ୍ଷରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ହିଂସା ଆଶଙ୍କାରେ ଏଥର ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଏଥର ପୌର ନିର୍ବାଚନରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୁବନେଶ୍ବରରେ ୩୦, କଟକରେ ୨୦ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ରହିଛନ୍ତି । ଏହା ସହ ୩୦୦ ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି ।