କାଲିଠୁ ଭୁବନେଶ୍ବରରେ G20 ସମ୍ମିଳନୀ, ସୁରକ୍ଷା ବଳୟରେ ରାଜଧାନୀ

1 min read

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ G20 ସମ୍ମିଳନୀ । ରାଜଧାନୀର ବିଭିନ୍ନ ସ୍ଥାନରେ ସେମିନାର ଓ ବୈଠକ କରାଯିବ । ବୈଠକକୁ ଦୃଷ୍ଟିରେ ରଖି କେନ୍ଦୀୟ ସୁରକ୍ଷା ସଂସ୍ଥା ସହ କମିଶନରେଟ ପୋଲିସ ଯୋଗାଯୋଗରେ ରହିଥିବା କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ‘ବିଭିନ୍ନ ଦେଶର ପ୍ରତିନିଧିଙ୍କ ପାହ୍ୟା ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟ, ହୋଟେଲ, ମିଟିଂ ସ୍ଥାନ ଓ ଗମନାଗମନ ଭଳି ୪ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଟେମ୍ପରାରି କଣ୍ଟ୍ରୋଲ ରୁମରୁ ସୁରକ୍ଷାକୁ ନେଇ ମନିଟରିଙ୍ଗ କରାଯିବ । ସିସିଟିଭିଗୁଡିକ ଉପରେ କଡା ନଜର ରଖାଯାଇଛି । ସମସ୍ତ ଦେଶ ଡେଲିଗେଟଙ୍କୁ ପାଇଲଟ ପ୍ରୋଟେକ୍ସନ ଗାଡିରେ ନିଆଯିବ ।’

ଆଗକୁ ସେ କହିଛନ୍ତି, ‘ବୈଠକ ସ୍ଥାନରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ତା କରାଯାଇଛି । ଅନୁମତି ନଥିବା ଲୋକଙ୍କୁ ବୈଠକ ସ୍ଥଳକୁ ଯିବା ମନା । ୬ଟି ଜାଗାରେ ନାକା ଚେକିଂ କରାଯିବ । କେନ୍ଦ୍ରୀୟ G20 ଟିମ ସହ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ହୋଇଛି । ତାଙ୍କ ପରାମର୍ଶକୁ ଗ୍ରହଣ କରାଯାଇଛି । କୌଣସି ପ୍ରତିନିଧି ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦିଆଯାଉଛି ।’

ସେ ଆହୁରି କହିଛନ୍ତି, ‘ଭିଭିଆଇପିଙ୍କ ପାଇଁ ସିକ୍ୟୁରୁଟି ଅଫିସର ଦିଆଯିବ । ସୁରକ୍ଷା ଦାୟିତ୍ବରେ ୨ ଜଣ ଡିସିପି ରାଙ୍କ ଅଫିସର, ୫ ଜଣ ଅତିରିକ୍ତ ଡିସିପି ରାଙ୍କ ଅଫିସର, ୧୧ ଏସିପି, ୨୫ ଇନ୍ସପେକ୍ଟର, ୧୨୫ ଏସଆଇ ସହ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଟିମ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ମୁତୟନ ସହ ୨ ୟୁନିଟ ସ୍ପେଶାଲ ଟେକ୍ଟିକାଲ ଟିମ ମୁତୟନ ରହିବେ ।’