ଟାଙ୍ଗିଆରେ ହାଣି ସାଥୀ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ

ବୌଦ୍ଧ: ଡ୍ୟୁଟି ବେଳେ ରାତିର ଅନ୍ଧାରରେ ନିଜ ସାଥୀକୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ ।

ଖବର ଅନୁସାରେ ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ମୃତକ ଜଣଙ୍କ ହେଲେ ରାଉତବାହାଲ ଗ୍ରାମର ରଞ୍ଜନ ପ୍ରଧାନ । ହତ୍ୟାକାରୀ ହେଲେ ଖୁଣ୍ଟିଆପଡାର ପ୍ରକାଶ ବେହେରା । ଉଭୟ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟରେ ଜଗୁଆଳି ଭାବେ କାମ କରୁଥିଲେ । ଲୁହା ବିକ୍ରିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଯାହାକୁ ନେଇ ପ୍ରକାଶ, ରଞ୍ଜନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏହାପରେ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ ।