ଟ୍ୱିନସିଟିରେ ହେବନି ନୂଆବର୍ଷ ସେଲିବ୍ରେସନ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଚଳିତ ଥର ନୂଆବର୍ଷ ଫିକା ପଡିବାକୁ ଯାଉଛି। ସାରା ରାଜ୍ୟରେ ସରକାର ନାଇଟ୍ କର୍ଫ୍ୟୁ ଘାେଷଣା କରିଥିବା ବେଳେ ଟ୍ୱିନସିଟିରେ ମଧ୍ୟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଏପରିକି ଟ୍ୱିନସିଟିରେ ଡିସେମ୍ବର ୩୧ ତାରିଖ ରାତିରେ ୧୪୪ ଧାରା ଲାଗୁ ହେବ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର। ଏପରିକି ସମସ୍ତେ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି ସିପି ।

ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ୧୪୪ ଧାରା ଲାଗୁ ହେଲେ ମଧ୍ୟ ଅତ୍ୟାବଶ୍ୟକ ସେବା, ଚିକିତ୍ସା ସେବା ଜାରି ରହିବ । ନାଇଟ୍ ପାଟ୍ରୋଲିଂ ସହ ବିଭିନ୍ନ ଛକରେ ନାକାବନ୍ଦୀ ହେବ । ରାତି ୯ଟା ପରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ୍ ପୋଲିସ ।

ଘରେ ରହି ନୂଆବର୍ଷକୁ ୱେଲକମ୍ କରିବା ସହ ସେଲିବ୍ରେଟ୍ କରନ୍ତୁ ବୋଲି ଲୋକଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର। ଏଭଳି କଟକଣାରେ ଜନସାଧାରଣ ସହଯୋଗ କରିବାକୁ ସିପି ଅନୁରୋଧ କରିଛନ୍ତି। ଗମନାଗମନ ଉପରେ କଟକଣା ଲଗାଇଛି ପୋଲିସ। ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ତେବେ ଲୋକମାନେ ସ୍ୱେଚ୍ଛାକୃତ ଭାବେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସିପି।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାତି ୧୦ଟାରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତିି । ଏହି ରାତ୍ରୀକାଳୀନ କର୍ଫ୍ୟୁ ଆଜି ରାତି ୧୦ରୁ ଲାଗୁ ହେବା ସହ ଆସନ୍ତାକାଲି ତଥା ଜାନୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆବର୍ଷକୁ ଦୃଷ୍ଟିରେ ରଖି ଏହି ନାଇଟ କର୍ଫ୍ୟୁ ଜାରି ହୋଇଛି।

ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଓ ଯାତାୟତକୁ ଅନୁମତି ଦିଆଯାଇଛି । ଏଥିସହ ହୋଟେଲ୍‌, କ୍ଲବ୍, ପାର୍କ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ନୂଆ ବର୍ଷ ପାଳନକୁ ନିଷେଧ କରିଛନ୍ତି । ଘରେ ସେଲିବ୍ରେସନ୍ କରିବାକୁ ଏସଆରସି ନିବେଦନ କରିଛନ୍ତି । ଟେଲିଫୋନ୍, ହ୍ବାଟସ ଆପ୍ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇବା ସହ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ବନ୍ଧୁ ମିଳନ କରି ନୂଆ ବର୍ଷକୁ ଆନନ୍ଦ ଉଲ୍ଲାସ ସହ ସ୍ବାଗତ କରିବାକୁ ସେ କହିଛନ୍ତି । ସେହିପରି ଆସନ୍ତାକାଲି ସରକାରୀ ଅଫିସରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କର୍ମଚାରୀଙ୍କୁ ଏକାଠି ହେବାକୁ ମନା କରାଯାଇଛି।

Leave a Reply