ଟି-ସେତୁ ଅଘଟଣ: ସିଂହନାଥ ପୀଠରେ ୧୪୪ ଧାରା ଜାରି

1 min read

ବଡ଼ମ୍ବା: ବଡମ୍ବା ସିଂହନାଥ ପୀଠରେ ଲାଗିଲା ୧୪୪ ଧାରା । ଆଜି ଓ ସୋମବାର ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ମେଳାରେ ପଡିଥିବା ଦୋକାନୀଙ୍କୁ ଘରକୁ ଯିବା ପାଇଁ କହିଛି ପ୍ରଶାସନ ।

ଗତକାଲି ମକର ସଂକ୍ରାନ୍ତି ଅବସରରେ ସିଂହନାଥ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସେତୁର ଟି ଅଞ୍ଚଳରୁ ସିଂହନାଥ ପୀଠକୁ ଯିବା ରାସ୍ତାରେ ଅତ୍ୟଧିକ ଭିଡ଼ ଜମି ଯିବାରୁ କିଛି ଲୋକ ଅଣନିଃଶ୍ବାସୀ ହୋଇ ଯାଇଥିଲେ । ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ । ତେବେ ଲକ୍ଷାଧିକ ପରିମାଣରେ ଭକ୍ତଙ୍କର ଭିଡ଼ ଜମିବ ବୋଲି ଜାଣିନଥିଲା ପ୍ରଶାସନ । ଅଧିକ ଫୋର୍ସ ମୁତୟନ କରିବା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ଗତକାଲି ଅଘଟଣରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଆଠଗଡ଼ ହସପିଟାଲରେ ଓ ଜଣେ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏସସିବିରେ ଭର୍ତ୍ତି ହୋଇଥିବା ଆହତଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବଡମ୍ବା ସିଂହନାଥ ପୀଠ ଓ ଟି-ସେତୁ ଅଞ୍ଚଳ ଏବଂ ଦୁର୍ଘଟଣାସ୍ଥଳୀ ପରିଦର୍ଶନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ  ।

୧୭ ତାରିଖ ପର୍ଯ୍ୟନ୍ତ ମକର ଯାତ୍ରା ଥିବାରୁ ବାବାଙ୍କ ପୀଠରେ କ’ଣ ହେବ ପରବର୍ତ୍ତୀ କାର୍ଯ୍ୟକ୍ରମ ସେ ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଗତକାଲି ମଧ୍ୟାହ୍ନରେ ମକର ସଂକ୍ରାନ୍ତି ଅବସରରେ ସିଂହନାଥ ପୀଠକୁ ଛୁଟି ଆସିଥିଲେ ଲକ୍ଷ ଲକ୍ଷ ଲୋକ । ବ୍ରିଜ ଉପରେ ପ୍ରାୟ ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ରେକର୍ଡ ଅନୁସାରେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ୩୦ରୁ ୪୦ ହଜାର ଭକ୍ତଙ୍କର ସମାଗମ ହୋଇଥାଏ । ଗତ ୨ ବର୍ଷ ଧରି ଯାତ୍ରା ବନ୍ଦ ଥିବାରୁ ଏଥର ଏ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ଅନୁମାନ ଲଗାଇଥିଲେ ମନ୍ଦିର ସେବାୟତ ଓ ସ୍ଥାନୀୟ ବାସିନ୍ଦା । କିନ୍ତୁ ଦେଢ଼ ଲକ୍ଷ ଲୋକଙ୍କର ସମାଗମ ହୋଇଥିବାରୁ ଠେଲାପେଲା ହୋଇଥିଲା । ଅଣନିଶ୍ବାସୀ କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କଟକ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ କହିଛନ୍ତି ।