ଯୋରନ୍ଦା ମହିମା ଗାଦିରେ ମନ୍ଦିର ଭାଙ୍ଗିବା ଘଟଣା; ଜାରି ରହିଛି ୧୪୪ ଧାରା

ଯୋରନ୍ଦା: ଯୋରନ୍ଦା ମହିମା ଗାଦିରେ ମନ୍ଦିର ଭାଙ୍ଗିବା ଘଟଣା। ଉକ୍ତ ଅଞ୍ଚଳରେ ଜାରି ରହିଛି ୧୪୪ ଧାରା । ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ପରିବେଶ ସୃଷ୍ଟି ହେବାର ଲକ୍ଷ୍ୟ ରଖି ପୋଲିସ ମୁତୟନ ହୋଇଛନ୍ତି । ଗତକାଲି ଯୋରନ୍ଦା ମହିମା ଗାଦିରେ ଥିବା କୌପିନୀ ସମାଜର ସମସ୍ତ ମନ୍ଦିର ଭାଙ୍ଗାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି କରାଯାଇ ବତି ମନ୍ଦିର, ଧୂନୀ ମନ୍ଦିର, ଭେକ ମନ୍ଦିର ଓ ବାବାଙ୍କ ଟୁଙ୍ଗିଘର ଭାଙ୍ଗିଥିଲା ପ୍ରଶାସନ।

୧୯୪୩ ମସିହାରୁ ବକଳଧାରୀ ଓ କୌପିନୀଧାରୀଙ୍କ ଭିତରେ ଲାଗି ରହିଥିଲା ବିବାଦ। ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ସାମ୍ନାରେ କୌପିନୀ ସମାଜର ୨୮ ଡେସିମିଲ ଜାଗାରେ ମନ୍ଦିର ଓ ଟୁଙ୍ଗିଘର ରହିଥିଲା । ସେଗୁଡ଼ିକୁ ହଟାଯିବା ଲାଗି ବକଳଧାରୀ ବାବାମାନେ କୋର୍ଟରେ ଆଶ୍ରୟ ନେଇଥିଲେ । ତଳ କୋର୍ଟରୁ ଏହି ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଥିଲା ।

ସମସ୍ତ ଅଭିଯୋଗ, ଦସ୍ତାବିଜ ତଥା ପ୍ରମାଣକୁ ଭିତ୍ତି କରି ବକଳ ସମାଜ ସପକ୍ଷରେ ରାୟ ଦେଇଥିଲେ ହାଇକୋର୍ଟ । ଏହାପରେ ସମସ୍ତ ମନ୍ଦିର ଓ ଘର ଭଙ୍ଗାଯାଇଛି । ସେପଟେ କିଛି ବ୍ୟବସ୍ଥା କରାନଯାଇ ଏପରି ଭଙ୍ଗାଯିବା ଘଟଣା ନିହାତି ଅମାନବୀୟ ବୋଲି କହିଛନ୍ତି କୌପିନୀ ସମାଜ ସାଧୁ । ପୁନଃ ମନ୍ଦିର ନିର୍ମାଣ ପାଇଁ ଜାଗା ଦିଆଯାଉ ଏବଂ ଏହାକୁ ନେଇ ସେମାନେ କୋର୍ଟର ଦ୍ବାରସ୍ଥ ହେବେ ବୋଲି ସେମାନଙ୍କ ଓକିଲ କହିଛନ୍ତି ।