ଖୋଲୁଛି ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ବାବାର ଗୁମର; ମିଳିଲା ଗୁପ୍ତ ଡାଏରୀ, ତାଲିକାରେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଖୋଲୁଛି ଗୁମର । ଆଶ୍ରମଟି ସରକାରୀ ଜମିରେ ଠିଆ ହୋଇଥିବା ଜିଏ ବିଭାଗ ସ୍ପଷ୍ଟ କରିବା ପରେ ଆଜି ବାବାଙ୍କର ପୂଜାର୍ଚ୍ଚନାର ଭିଡିଓ ସାମ୍ନାକୁ ଆସିଛି । ଆଶ୍ରମରେ ଫୁଲ ବିଛାଇ କିଭଳି ବାବାଙ୍କୁ ମହିଳାମାନେ ପୂଜା କରୁଥିଲେ ତାହା ଦେଖିବାକୁ ମିଳିଛି । ଏହାସହ ମହିଳାମାନେ ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ବାବା ନିଜେ ଜଣେ ଯୁବତୀ ସହ ସେଲ୍ଫି ନେଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ କିଭଳି ପୂଜାର୍ଚ୍ଚନା କରିବାକୁ ହେବ ତାହାର ତାଲିକା ମଧ୍ୟ ଏକ ଡାଏରୀରେ ରହିଛି । ବିଶେଷ କରି ବାବାଙ୍କ ପାଖକୁ ଆସିଲେ କ’ଣ କ’ଣ ଖାଇବାକୁ ପଡିବ ତାର ମେନ୍ୟୁ ରହିଛି । ବାବା ସ୍ପର୍ଶ ମାଧ୍ୟମରେ କି କି ରୋଗ ଭଲ କରନ୍ତି ତାହାର ମଧ୍ୟ ଏକ ତାଲିକା ରହିଛି । ତେବେ ବାବାଙ୍କୁ ପୂଜା କରିବା ପାଇଁ ଜଣେ ଭକ୍ତ ୬ ବର୍ଷ ଧରି ନିଜେ ସବୁ ଛାଡି ଜଟ ରଖିଥିଲେ ବୋଲି କହିଛନ୍ତି । କିନ୍ତୁ ବାବାଙ୍କର କିଛି ଚମତ୍କାର ନ ଥିବାରୁ ସପରିବାରେ ଆଶ୍ରମ ଛାଡିଥିଲେ ।

ଖୋଲୁଛି ବୈକୁଣ୍ଠ ଆଶ୍ରମ ବାବାଙ୍କ ଗୁମର । ଆଶ୍ରମରୁ ମିଳିଲା ଆତ୍ମ ଘୋଷିତ କଳକୀ ବାବାଙ୍କ ଡାଏରୀ । ଡାଏରୀରେ ରହିଛି ଅନେକ ରୋଚକ ତଥ୍ୟ । ବାବାଙ୍କୁ ଲାଗି ହେଉଥିଲା ୩୫ ହଜାର ଟଙ୍କାର ଫୁଲ । ତାଲିକାରେ ଗେଣ୍ଡୁ, ରଜନୀଗନ୍ଧା, ପଳାସ, ଗୋଲାପ । ଭକ୍ତ ଥିଲେ ବ୍ୟବସାୟୀ, ବିଧାୟକ, ସାଂସଦ, ପରିବା ବ୍ୟବସାୟୀ ଓ ଶିଳ୍ପପତି । ରିଷ୍ଟ ଖଣ୍ଡନ ପାଇଁ ପ୍ରସ୍ତୁତ ହେଉଥିଲା ବାର୍ଷିକ ଯଜ୍ଞ ତାଲିକା । ଟଙ୍କା ଦେଲେ ଭକ୍ତଙ୍କର ହେଉଥିଲା ସମସ୍ୟା ସମାଧାନ । ଦିନକୁ ଦିନ ଖଣ୍ଡଗିରି ଆତ୍ମଘୋଷିତ କଳକୀ ବାବାଙ୍କ ଗୁମର ଖୋଲିବାରେ ଲାଗିଛି ।

ବାବାଙ୍କୁ ଘେରି ରହୁଥିଲେ ମହିଳା । ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିଲେ ଭକ୍ତ । ସିଂହାସନରେ ବସି ବାବା ଦେଖାଉଥିଲେ ରାଜକୀୟ ଠାଣୀ । ଯାହାକୁ ପାଉଥିଲେ ମନଇଛା ଦେଉଥିଲେ ନିର୍ଦ୍ଦେଶ । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ ଭକ୍ତମାନେ ଆମିଷ ଛାଡିବାକୁ କୁହାଯାଉଥିଲା । କିନ୍ତୁ ବାବା ନିଜେ କେଟିଏମ୍ ବାଇକ ଚଢି କାଫେରେ ଯୁବତୀମାନଙ୍କ ସହ ସମୟ ବିତାଉଥିବା ଅଭିଯୋଗ ହୋଇଛି ।

ବାବାଙ୍କ ଡାଏରୀରେ ଜଣେ ଭକ୍ତ ପୂଜା କରିବାକୁ ହେଲେ କେବଳ ଫୁଲ ପାଇଁ ୩୫ ହଜାର ଟଙ୍କାର ଲିଷ୍ଟ ରହିଛି । କେବଳ ପ୍ଳାଷ୍ଟିକ ଫୁଲର ଦାମ ରହିଛି ୨୩ ହଜାର ୪ ଶହ ଟଙ୍କା । ବାବାଙ୍କ ପାଖକୁ ଯିବାକୁ ହେଲେ ଜଣେ ଭକ୍ତ କ’ଣ କ’ଣ ଖାଇବେ ତା’ର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଆଶ୍ରମର ଟ୍ରଷ୍ଟି । କ୍ଷୀରି, ସର୍ବତ, ହାଲୁଆ, ଖୁଆଠାରୁ ଆରମ୍ଭ କରି ମିଠା ଖେଚୁଡି ଓ ଖିଲିପାନ ବି ତାଲିକାରେ ରହିଛି । ସେହିଭଳି ବାବାଙ୍କ ସ୍ପର୍ଶ ମିଳିଲେ ରକ୍ତଚାପଠାରୁ ଆରମ୍ଭ କରି କୁଷ୍ଠ, ମହାମାରୀ, ହଇଜା, ଆନ୍ତ୍ରିକ ବ୍ୟାଧି, ପକ୍ଷାଘାତ ଓ ପାଗଳାମୀ ଭଳି ରୋଗ ଛାଡି ଚାଲିଯାଏ । ସେହିଭଳି ବାବାଙ୍କ ଗୁଣଗାନ ପାଇଁ ବିଭିନ୍ନ ବହି ଛପାଯାଇଛି । ଅନୁଭୁତିରେ ଭଗବାନ ଶ୍ରୀ ଶ୍ରୀ ସତ୍ୟ ଅନନ୍ତ । ବ୍ୟାସମଣ୍ଡଳରେ ଜଣେ ଭକ୍ତ ବାବାଙ୍କ ମହିମା ଗାନ କରିଛନ୍ତି । କେବଳ ଏତିକି ନୁହେଁ, ବାବାଙ୍କର ଆହୁରି ଏମିତି ଅନେକ ଡାଇରୀ ରହିଛି ଯେଉଁଥିରେ ଅନେକ ରହସ୍ୟ ମଧ୍ୟ ରହିଛି ।

ସେପଟେ ବାବାଙ୍କ ଆଗମନ ପରେ ଜଣେ ଭକ୍ତ ସୁଦାମା ଭଳି ସେବା କରିଥିବା ଆଜି ଗଣମାଧ୍ୟମରେ କହିଛନ୍ତି । ଏହି ଭକ୍ତଙ୍କ କହିବା କଥା ବାବା ଆସିବା ପରେ ପରିବାରର ସମସ୍ତେ ଆମିଷ ଛାଡିବା ସହ ପୂଜାର୍ଚ୍ଚନା କରିଥିଲୁ । ବାପା, ମାଆ, ଭାଇ, ଭଉଣୀ ମିଶି ବାବାଙ୍କର ଗୁଣ ଗାଇଲୁ । ସମୟ ଏପରି ହେଲା ନିଜେ ମୁଣ୍ଡରେ ଜଟ ରଖି ନାମ ସଂକୀର୍ତ୍ତନ କଲୁ । ବାବାଙ୍କୁ ନେଇ ଆସିଥିବା ଅନୁଗତ ବାବାଙ୍କର କାହାଣୀ ଶୁଣାଇ ବିଶ୍ବାସ ଜନ୍ମାଇଲେ । କହିଲେ ବାବା ପୁରୀ ଯିବା ସମୟରେ ତାଙ୍କୁ ଟେକିକି ନେବା କଷ୍ଟ ହୋଇଥିଲା କିନ୍ତୁ ବାବା ବାଇସି ପାହାଚ ଚଢିବା ବେଳେ ଶୋଲ ଭଳିଆ ହାଲୁକା ହେଇଗଲେ । କିନ୍ତୁ ବାସ୍ତବରେ ବାବାଙ୍କର ସେମିତି କିଛି ଚମତ୍କାର ନ ମିଳିବାରୁ ଆଶ୍ରମ ଛାଡିଦେଲୁ ବୋଲି କହିଛନ୍ତି ସେତେବେଳେ ନିଜକୁ ସୁଦାମା କହୁଥିବା ଭକ୍ତ ।

ସେପଟେ ଆଶ୍ରମ ସରକାରୀ ଜମିରେ ଠିଆ ହୋଇଥିବା ଜଣାପଡିବା ପରେ ଏବେ ପୋଲିସ ଆଶ୍ରମକୁ ଜଗି ରହିଛନ୍ତି । ଟ୍ରଷ୍ଟି ପାଣ୍ଡବ ପରିଡା ଏବେ ଫେରାର ଥିବା ବେଳେ ବାବା ବି ଫେରାର ହୋଇଯାଇଛନ୍ତି । ତେବେ ଅପେକ୍ଷା ପ୍ରଶାସନ ଆଶ୍ରମ ଉପରେ କେବେ ବୁଲଡୋଜର ବୁଲାଉଛି ।