ଓଡ଼ିଶାରେ କେମିତି ଅଛି ମହାନଦୀ, ଆଜିଠୁ ଟ୍ରିବ୍ୟୁନାଲଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

ସମ୍ବଲପୁର: ଓଡ଼ିଶାରେ କେମିତି ଅଛି ମହାନଦୀ । ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ କେତେ ପ୍ରଭାବିତ ହୋଇଛି ଓଡ଼ିଶା । ଆଜିଠୁ ଏହାର ତଦାରଖ କରିବେ ଟ୍ରିବ୍ୟୁନାଲ । ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଓଡ଼ିଶା ଆସିଛନ୍ତି ଟିମ୍ । ୨୩ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ବୁଲି ଦେଖିବେ । ଗତକାଲି ଟ୍ରିବ୍ୟୁନାଲ ସମ୍ବଲପୁରରେ ପହଞ୍ଚିବା ପରେ ସ୍ୱାଗତ କରିଥିଲେ ଜିଲ୍ଲାପାଳ ଓ ଏସପି । ଟିମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌର ରହିଛନ୍ତି ।

ଆଜି ପ୍ରଥମ ଦିନରେ ହୀରାକୁଦ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ । ୨୪ ତାରିଖରେ ଟ୍ରିବ୍ୟୁନାଲ ଭୁବନେଶ୍ବର ଆସିବେ । ୨୫ତାରିଖରେ ବିଶ୍ରାମ ପରେ ୨୬ରୁ ୨୮ ପର୍ଯ୍ୟନ୍ତ କଟକ ନରାଜ, ମୁଣ୍ଡଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ସେପଟେ ଛତିଶଗଡ଼ ଯୋଗୁ ଓଡ଼ିଶା ଭୋଗୁଥିବା ସମସ୍ୟାର ଦୃଷ୍ଟି ଆକର୍ଷଣ ପାଇଁ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଅଭିଯାନ । ଝାରସୁଗୁଡ଼ାରେ ମହାନଦୀର ଉପନଦୀ କେଲୋ ନଦୀ ନିକଟରେ ସତ୍ୟାଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ । ଟ୍ରିବ୍ୟୁନାଲକୁ ୫ବର୍ଷ ବିତିଥିଲେ ବି ଏହାରି ମଧ୍ୟରେ କୌଣସି ପଦକ୍ଷେପ କି ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟ ଦିଆଗଲାନି । ତଳମୁଣ୍ଡରେ ଯେତିକି ପାଣି ରହିବା କଥା ରହୁନାହିଁ । ଫଳରେ ପିଇବା ପାଣି ସହିତ ଜଳସେଚନ ଓ ଜୈବ ବିବିଧିତା ପ୍ରଭାବିତ ହୋଇଛି । ଅଣମୌସୁମୀ ସମୟରେ ତଳମୁଣ୍ଡ ଶୁଖିଲା ପଡ଼ୁଛି  । ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲର ଦୃଷ୍ଟି ଆକର୍ଷଣ କରାଯିବ ।