ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ଘରୋଇ ହସ୍ପିଟାଲରେ ମିଳିପାରିବ ଚିକିତ୍ସା ସୁବିଧା

ଭୁବନେଶ୍ୱର : ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା । ଗତବର୍ଷ ତୁଳନାରେ ୪.୫ ପ୍ରତିଶତ ଦୁର୍ଘଟଣା ହ୍ରାସ ହୋଇଥିବା ସଡ଼କ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ସୂଚନା ଦିଆଯାଇଛି । ଜାତୀୟ ହାରଠାରୁ ରାଜ୍ୟରେ ଦୁର୍ଘଟଣା ହାର ଅଧିକ ରହିଥିବାରୁ ହାଇକୋର୍ଟ ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ତେବେ ଆଇନକୁ କଡ଼ା କଡ଼ି ଲାଗୁ କରାଯାଇଥିବାରୁ ଏଥିରେ ସୁଧାର ଅଣାଯାଇପାରିଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି । ସେହିପରି ପୂର୍ବରୁ କେବଳ କଟକ ଓ ଭୁବନେଶ୍ୱରର କିଛି ଘରୋଇ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲା । ଏବେ ସେହି ସେବା ସମ୍ବଲପୁର ଓ ଝାରସୁଗୁଡ଼ାରେ ଯୋଗାଇ ଦିଆଯିବ ।


ଦୁର୍ଘଟଣାରେ ମୃତ୍ୟୁ ହାର ୧୨ ପ୍ରତିଶତ କମିଥିବା ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ସୂଚନା ଦିଆଯାଇଛି । ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ଆଦି ଜିଲ୍ଲା ଗୁଡ଼ିକରେ ସର୍ବାଧିକ ଦୁର୍ଘଟଣା ହେଉଥିବା ସୂଚନା ମିଳିଛି । ୨୦୧୮ ମସିହାରେ ସମଗ୍ର ଭାରତରେ ୧.୫୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ପ୍ରତି ଘଣ୍ଟାରେ ସମଗ୍ର ଦେଶରେ ୧୭ ଜଣ ଲୋକଙ୍କ ଜୀବନ ଯାଉଛି । ଗତ ଦଶନ୍ଧିରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ଓଡ଼ିଶାରେ ୫,୩୧୫ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପାଞ୍ଚ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି । ସମଗ୍ର ଦେଶରେ ଦୁର୍ଘଟଣାରେ ୧୦୦ରେ ୩୨ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଓଡ଼ିଶାରେ ୪୭ ଜଣଙ୍କ ମୃତ୍ୟୁ ଘଟୁଛି ।

୨୦୧୪ ରୁ ୨୦୧୮ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ହାର ୩୫.୨ ପ୍ରତିଶତ ବଢିଛି । ୨୦୧୯ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪,୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ୍ ସୁଦ୍ଧା ଆଠ ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି ଏବଂ ୭୫୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ  ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି । ସଂଶୋଧିତ ମୋଟରଯାନ ଆଇନ ସାରା ରାଜ୍ୟରେ ୧ ସେପ୍ଟେମ୍ବରରୁ ଲାଗୁ କରାଯାଇଛି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଆରଟିଓ ଅଫିସ ବାହାରେ ଅନେକ କ୍ୟାମ୍ପ ଖୋଲାଯାଇଛି । ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଆପାତତଃ ୫ ଲକ୍ଷ ଲାର୍ଣ୍ଣିଂ ଲାଇସେନ୍ପ ପ୍ରଦାନ କରାଯାଇଛି । ପ୍ରାୟ ୯୦୦ଟି ପଲ୍ୟୁସନ ଟେଷ୍ଟିଂ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଏହାଦ୍ୱାରା ୧୦ ଲକ୍ଷ ପ୍ରଦୂଷଣ  ଯାଞ୍ଚ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

ତେବେ ଆଗାମୀ ଦିନରେ ଦୁର୍ଘଟଣା କମିବା ନେଇ ସମସ୍ତ ଉଦ୍ୟମ ଜାରି ରହିବ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ମଦ୍ୟପ ଗାଡି ଚାଳନା ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନେକ ଲୋକ ଟ୍ରେନିଂ ନ ନେଇ ଗାଡି ଚଳାଉଥିବା ନଜରକୁ ଆସିଛି। ଉଭୟ ପୋଲିସ ଓ ପରିବହନ ବିଭାଗ ଫାଇନ ଆଦାୟ କରିପାରିବେ। ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ। ଏବେ ଗ୍ରାମାଞ୍ଚଳରେ କଡ଼ାକଡ଼ି ଚେକିଂ କରାଯିବ । ୩ ମାସ ଅବଧି ସରିଲା ପରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି କଡ଼ା ଚେକିଂ କରାଯିବା । ମର୍ଚ୍ଚମାସ ସୁଦ୍ଧା ଜାତୀୟ ରାଜପଥର ସମସ୍ତ ବ୍ଲାକସ୍ପଟ ଚିହ୍ନଟ ସହ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

Leave a Reply