ଭୁବନେଶ୍ୱରରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର(ଶକ୍ତିଧର ରାଜଗୁରୁ): ସ୍ମାର୍ଟ ସିଟିରୁ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । ଦୁଇ ଦିନରେ ଭୁବନେଶ୍ୱରର ୨୫ଟି ୱାର୍ଡରୁ ୧୫ଶହ ନମୂନା ସଂଗ୍ରହ କରାଯିବ । ଏହି ଟେଷ୍ଟ ଜରିଆରେ ଲୋକଙ୍କ ଶରୀରରେ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ସୃଷ୍ଟି ହୋଇଛି କି ନାହିଁ ଏବଂ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ । ଖୁବଶୀଘ୍ର ରାଉରକେଲା ଓ କଟକରେ ଏହି ଟେଷ୍ଟ କରାଯିବ ।

ଭୁବନେଶ୍ୱରରେ ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । ବସ୍ତି ବାସିନ୍ଦାଙ୍କ ସମେତ ବିଭିନ୍ନ ସମ୍ବେଦନଶୀଳ ବର୍ଗ ବା ଗୋଷ୍ଠୀ ବ୍ୟକ୍ତି ବିଶେଷଙ୍କ ଠାରୁ କରାଯାଉଛି ରକ୍ତ ନମୂନା ସଂଗ୍ରହ । ଜୁଲାଇ ଦ୍ୱିତୀୟ ସପ୍ତାହରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ୨୫ଟି ୱାର୍ଡରୁ ୧୬ଶହ ନମୂନା ସଂଗ୍ରହ କରାଯାଇଥିଲା । ବତ୍ତର୍ମାନ ପୁଣି ୨୫ଟି ୱାର୍ଡରୁ ସଂଗ୍ରହ ହେବ ୧୫ଶହ ନମୂନା । ଏହି ନମୂନା ସଂଗ୍ରହ ଜରିଆରେ ଲୋକଙ୍କ ଶରୀରରେ ପ୍ରତିରୋଧକ ଶକ୍ତି ଓ ଗୋଷ୍ଠୀ ସଂକ୍ରମଣ ସମ୍ପର୍କିତ ତଥ୍ୟ ମିଳିବ । ବିଏମସି, ଆରଏମ୍ଆରସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ସେରୋ ସର୍ଭେଲାନ୍ସ କାର୍ଯ୍ୟରେ ୱାର୍ଡର କୋଭିଡ୍ ସଚେତକ ଓ ଅଙ୍ଗନୱାଡି କର୍ମୀଙ୍କୁ ସାମିଲ କରାରଯାଇଛି । ଘର ଘର ବୁଲି ଲୋକଙ୍କୁ ବୁଝାଇ ପ୍ରତି ପରିବାରର ଜଣେ ଜଣେ ସଦସ୍ୟଙ୍କର ରକ୍ତ ନମୂନା ସଂଗ୍ରହ କରାଯାଉଛି । ପୂର୍ବ ଅପେକ୍ଷା ଲୋକଙ୍କ ମଧ୍ୟରେ ସଚେତନତା ବେଶ୍ ବୃଦ୍ଧି ପାଇଛି । ଫଳରେ ଲୋକେ ସ୍ୱଇଚ୍ଛାରେ ଟେଷ୍ଟିଂ ପାଇଁ ଆଗକୁ ଆସୁଛନ୍ତି । ଯାହାକି ସଂକ୍ରମଣ ରୋକିବା କ୍ଷେତ୍ରରେ ଆଉ ଏକ ଶୁଭ ସଙ୍କେତ ।

ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ଅଞ୍ଚଳରେ ଏହି ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ବଡ଼ମ୍ବା ନରସିଂହପୁରରେ ହୋଇଛି ସେରୋ ସର୍ଭେଲାନ୍ସ । ଆଗକୁ କଟକ ଓ ରାଉରକେଲାରେ ସେରୋ ସର୍ଭେଲାନ୍ସ କରାଯିବ ବୋଲି ସୂଚନା ମିଳିଛି ।

Leave a Reply