ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ବାତ୍ୟା ପାଇଁ ବଦଳିଲା ସମାପନ ତାରିଖ

1 min read

ଭୁବନେଶ୍ବର: ଆହୁରି ବଢ଼ିବ ବିଜେଡିର କଳେବର । ଅଧିକରୁ ଅଧିକ ସଭ୍ୟଙ୍କୁ ସାମିଲ କରାଯିବ । ଓଡ଼ିଶାବାସୀଙ୍କ ସମର୍ଥନ ହାସଲ କରି ଦଳ ଆହୁରି ଶକ୍ତିଶାଳୀ ହେବ । ଏଇ ଲକ୍ଷ୍ୟ ନେଇ ଆଜିଠାରୁ ଦ୍ଵିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା ଆରମ୍ଭ କରିଛି ବିଜେଡି । ପଦଯାତ୍ରା ସହିତ ସଭ୍ୟ ସଂଗ୍ରହ ବି ଜାରି ରହିବ । ଘରକୁ ଘର ବୁଲି, ପଦଯାତ୍ରା ଓ ଅନଲାଇନ ମାଧ୍ୟମରେ କୋଟିଏରୁ ଅଧିକ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ତେବେ ବାତ୍ୟା ପାଇଁ ପଦଯାତ୍ରାର ତାରିଖ ବଦଳିଛି । ଅକ୍ଟୋବର ୩୦ ବଦଳରେ ନଭେମ୍ବର ୭ରେ ଶେଷ ହେବ ପଦଯାତ୍ରା ।

ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା । ଫୋକସ୍ ହେଲା- ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଜେଡି ସରକାର କରିଥିବା ବିକାଶମୂଳକ କାମର ପ୍ରଚାର, ସଭ୍ୟ ସଂଗ୍ରହ ଓ ବିଜେପି ସରକାରର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ସଚେତନ କରାଇବା । ପଦଯାତ୍ରା ଜରିଆରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନ୍ଵିତ କରିବାକୁ ଦଳ ଲକ୍ଷ୍ୟ ରଖିଛି । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି, ପଦଯାତ୍ରା ଓ ସଦସ୍ୟ ସଂଗ୍ରହ ଅଭିଯାନ ବେଳେ ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା ଆମ ଦଳର ଶକ୍ତି ବୃଦ୍ଧି କରିଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଯେମିତି ଲୋକପ୍ରିୟ ଥିଲେ ବିରୋଧୀ ଦଳ ନେତା ଭାବେ ସେଇ ଲୋକପ୍ରିୟତା ଅତୁଟ ରହିଛି । ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସହ ଜନସେବାକୁ ବିଜେଡି ଅଧିକ ଗୁରୁତ୍ଵ ଦେଇଥିବା ପ୍ରଫୁଲ୍ଲ ସାମଲ କହିଛନ୍ତି ।

ଗତ ଥର ୧ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଏଥର ମଧ୍ୟ ଏକ କୋଟି ସଦସ୍ୟତାର ଲକ୍ଷ୍ୟ ଛୁଇଁବାକୁ ଦଳ ଟାର୍ଗେଟ ରଖିଛି । ନୂଆ ସଦସ୍ୟଙ୍କ ସହ ଗତ ଥରର ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯିବ । ନବୀନ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିବା ପରେ ବିଜେଡିର ସଭ୍ୟ ହେବାକୁ ସାରା ଓଡ଼ିଶାରେ ଦେଖା ଦେଇଛି କ୍ରେଜ । ଏହା ସହିତ ୨୦୨୪ ନିର୍ବାଚନର ସମୀକ୍ଷା କରି ନବୀନଙ୍କ ନେତୃତ୍ଵରେ ସଂଗଠନକୁ ଆହୁରି ମଜଭୁତ କରାଯାଉଛି ।

ଦ୍ଵିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରାକୁ ସଫଳତାର ସହ ଶେଷ କରିବାକୁ ବିଜେଡି ପ୍ରସ୍ତୁତ କରିଛି ସ୍ଵତନ୍ତ୍ର ରୋଡମ୍ୟାପ୍ । ଏନେଇ ଶଙ୍ଖଭବନରେ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ହୋଇଥିବା ବୈଠକରେ ହୋଇଛି ଆଲୋଚନା ।