ମହାନଦୀ ଟ୍ରିବ୍ୟୁନାଲଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

କଟକ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ପରିଦର୍ଶନ ପରେ ଆଜିଠୁ କଟକ ନରାଜ, ମୁଣ୍ଡଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମୁଣ୍ଡଳୀ ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନରେ ଯିବା ପରେ ମହାନଦୀରେ ମିଶିଥିବା ସାପୁଆ ନଦୀ ପରିଦର୍ଶନ କରିବେ ।

ଏହା ସହିତ ଟିମ ନରାଜ ବ୍ୟାରେଜ ,ମହାନଦୀ ବ୍ୟାରେଜ ଓ ବିରୂପା ବ୍ୟାରେଜ ପରିଦର୍ଶନ ସହିତ ଯୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବେ । ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ କେତେ ପ୍ରଭାବିତ ହୋଇଛି ଓଡ଼ିଶା ସେନେଇ ସ୍ଥିତି ପରଖୁଛନ୍ତି ଟିମ୍ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌରଙ୍କୁ ନେଇ ଗଠିତ ଟିମ୍ ମହାନଦୀ ପ୍ରବାହିତ ହୋଇଥିବା ଓଡ଼ିଶାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି ।

ସମ୍ବଲପୁର, ଝାରସୁଗୁଡ଼ା ଓ ଅନୁଗୁଳର ବିଭିନ୍ନ ସ୍ଥାନରେ ସ୍ଥିତି ପରଖିଛନ୍ତି ଟିମ୍ । ଛତିଶଗଡ଼ର ମନମାନି ଫଳରେ ଅଣମୌସୁମୀ ସମୟରେ ଜଳପ୍ରବାହ କମିବା ଦ୍ବାରା ଜଳସେଚନ, ପାନୀୟ ଜଳ, ଜୈବ ବିବିଧତା ଓ ମତ୍ସ୍ୟଜୀବୀ ବେଶ ପ୍ରଭାବିତ ହେଉଛନ୍ତି । ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ କଟକ ନରାଜ, ମୁଣ୍ଡଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି ।