ମେ ୨୦ରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୯୩୩ ବୁଥରେ ୫ଟାରେ ଭୋଟିଂ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍। ଭୋଟଗ୍ରହଣ ପ୍ରସ୍ତୁତି ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟରେ ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏଥିଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି।

୫ ସଂସଦୀୟ କ୍ଷେତ୍ରରେ ରହିଛନ୍ତି ମୋଟ ୭୯ ଲକ୍ଷରୁ ଅଧିକ ଭୋଟର। ସେମାନଙ୍କ ମଧ୍ୟରେ ୩୯ ଲକ୍ଷରୁ ଅଧିକ ମହିଳା ଓ ୪୦ଲକ୍ଷରୁ ଅଧିକ ପୁରୁଷ ଭୋଟର ଅଛନ୍ତି। ମୋଟ ୨.୬୭ ପ୍ରତିଶତ ଭୋଟର ପ୍ରଥମ ଥର ଲାଦି ମତଦାନ କରିବେ। ଦ୍ଵିତୀୟ ପର୍ଯ୍ୟାୟରେ ପ୍ରତି ହଜାରେ ପୁରୁଷ ଭୋଟରରେ ୯୭୫ ମହିଳା ଭୋଟର ଅଛନ୍ତି। ମୋଟ୍ ୯ ହଜାର ୧୬୨ ମତଦାନ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୨୦ପ୍ରତିଶତ ସମ୍ବେଦନଶୀଳ ବୁଥ। ୧୦୪୧ କେନ୍ଦ୍ରକୁ ମହିଳା ପୋଲିଂ କର୍ମଚାରୀ ପରିଚାଳନା କରିବେ। ସୁରକ୍ଷାରେ ୧୦୨ କମ୍ପାନୀ ସିଏପିଏଫ ନିୟୋଜିତ ହେବେ। କନ୍ଧମାଳରେ ସବୁଠୁ ଅଧିକ ୨୨ କମ୍ପାନୀ ଫୋର୍ସ ମୁତୟନ ହେବେ।

ଗଂଜାମରେ ୨୦ କମ୍ପାନୀ, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀର ଓ ବରଗଡ଼ରେ ୧୪ ଲେଖାଏଁ କମ୍ପାନୀ ଫୋର୍ସ ମୁତୟନ ହେବ। ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହିଟଓ୍ୱେଭ ଜାରି ରହିବ ନେଇ ପାଣିପାଗ ପୂର୍ବାନୁମାନ କରିଛି। ଏଥିଲାଗି ଭୋଟଗ୍ରହଣ କେନ୍ଦ୍ରରେ ପ୍ରସ୍ତୁତି କରାଯାଇଛି। ୧୭ଟି ବିଧାନସଭା ନିର୍ବାଚନମଣ୍ଡଳି କ୍ଷେତ୍ରକୁ ଆଜି ଯିବେ ପୋଲିଂ ପାର୍ଟି। ମୋଟ ୩୫ବିଧାନସଭା ଆସନରେ ଲଢ଼ୁଛନ୍ତି ୨୬୫ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୨୨୪ ପୁରୁଷ ଓ ୪୧ ମହିଳା ପ୍ରାର୍ଥୀ ମଇଦାନରେ ଅଛନ୍ତି। ୫ସଂସଦୀୟ କ୍ଷେତ୍ର ପାଇଁ ୪୦ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନରେ ୧୦ ଜେନେରାଲ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି। ସକାଳ ୭ଟାରୁ ପୋଲିଂ ଆରମ୍ଭ ହେବ।