ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ଗର୍ଜନ, ଅକଳରେ ସରକାର

ଭୁବନେଶ୍ବର: ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ହୁଲସ୍ତୁଲ ହୋଇଛି ଗୃହ । ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ସରକାରଙ୍କୁ ଯେଉଁ ପ୍ରଶ୍ନ ବିଜେଡି ପଚାରିଥିଲା, ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ତାହାର ଉତ୍ତର ମାଗିଛି । ଓଡିଆ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା, ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ, ବିରୋଧୀ ଦଳ ନେତା ଗିରଫ ନେଇ ସଂସଦୀୟ ମନ୍ତ୍ରୀଙ୍କ ବିବୃତିକୁ ବାଦ ଦେବାକୁ ଦାବି କରିଛି ବିଜେଡି । ଅନ୍ୟପଟେ ଛାତ୍ର କଂଗ୍ରେସ ନିର୍ବାଚନ କରିବା ଦାବିରେ ହଟ୍ଟଗୋଳ କରିଛି କଂଗ୍ରେସ । ବିରୋଧୀଙ୍କ ସରକାର ବିରୋଧୀ ଗର୍ଜନ ଶାସକ ଦଳକୁ ଗୃହରେ ଅକଳରେ ପକାଇଛି ।

୨୦ ଦିନର ବ୍ରେକ ପରେ ବି ଅବସ୍ଥା ଯଥା ପୂର୍ବଂ ତଥା ପରଂ । ପ୍ରଥମ ଦିନ ୪ ମିନିଟ ଚାଲି ୪ଟା ଯାଏଁ ମୁଲତବୀ ହେଲା ଗୃହ । ଚାଲିପାରିଲାନି ପ୍ରଶ୍ନକାଳ, ଶୂନ୍ୟକାଳ । ଆଲୋଚନା ହୋଇପାରିଲାନି ମୁଲତବୀ ପ୍ରସ୍ତାବ । ଶୋକ ପ୍ରସ୍ତାବ ସରୁ ସରୁ ମୁଖ୍ଯ ବିରୋଧୀ ବିଜେଡି ପ୍ରଥମ ପର୍ଯ୍ୟାୟରେ ସରକାରଙ୍କୁ ପଚାରିଥିବା ୩ଟି ପ୍ରଶ୍ନର ଉତ୍ତର ମାଗିଥିଲା । ନିଜ ଆସନରେ ଛିଡ଼ା ହୋଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସ୍ବର ଉତ୍ତୋଳନ କରିଥିଲେ ।

ପ୍ରଥମ ପ୍ରସଙ୍ଗଟି ହେଲା ରାଜ୍ୟପାଳଙ୍କ ପୁଅ ଓଡିଆ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ସରକାର କହିଥିଲେ ଜିଲ୍ଲାପାଳ ୧୫ ଦିନ ଭିତରେ ରିପୋର୍ଟ  ଦେବେ ବୋଲି । ସେ ରିପୋର୍ଟର କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ପ୍ରମିଳା । ସେହିପରି ଦ୍ବିତୀୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେଡି ଯେଉଁ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା ସେ ସମ୍ପର୍କରେ ବାଚସ୍ପତି କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପଚାରିଥିଲେ ପ୍ରମିଳା । ବିଧାନସଭା ଚାଲୁଥିବା ସମୟରେ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ବାହାରେ ଘୋଷଣା କରିଥିଲେ । ଯାହା ବିରୋଧରେ ବିଜେଡ଼ି ପ୍ରଥମ ପର୍ଯ୍ୟାୟରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା ।

ବିଜେଡି ପଚାରିଥିବା ତୃତୀୟ ପ୍ରସଙ୍ଗଟି ହେଲା ବିରୋଧୀ ଦଳ ନେତାଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ । ଯାହା ବିରୋଧୀ ଦଳ ନେତାଙ୍କ ପ୍ରତି ଘୋର ଅପମାନଜନକ ଟିପ୍ପଣୀ ଥିଲା । ତାକୁ ଗୃହ ବିବରଣୀରୁ ବାଦ ଦେବା ପାଇଁ ବିଜେଡି ଦାବି କରିଥିଲା । ତାକୁ ପରୀକ୍ଷା କରି ପଦକ୍ଷେପ ନେବେ ବୋଲି ବାଚସ୍ପତି କହିଥିଲେ । ଏ ସମ୍ପର୍କରେ ଷ୍ଟାଟସ କ’ଣ ବୋଲି ପଚାରିଥିଲେ ବିଜେଡି ନେତା । ଗୃହରେ ବିଜେଡିର ଏହି ୩ଟି ପ୍ରଶ୍ନରେ ଘାଇଲା ହୋଇଥିଲା ସରକାରୀ ଦଳ ।

ସେପଟେ କଂଗ୍ରେସ ମଧ୍ୟ ଗୃହ ଆରମ୍ଭରୁ ଆକ୍ରମଣାତ୍ମକ ଭୂମିକାରେ ନଜର ଆସିଥିଲା । ଛାତ୍ର କଂଗ୍ରେସ ନିର୍ବାଚନ ଚଳିତବର୍ଷ କରାଯାଉ ବୋଲି ଦାବି କରି କଂଗ୍ରେସର ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ନୂଆ ସରକାର ନିର୍ବାଚନୀ ପ୍ରତିଶୃତି ଦେଇଥିଲେ । ହେଲେ ସରକାରକୁ ଆସିଲା ପରେ ଏବର୍ଷ ଛାତ୍ର ନିର୍ବାଚନ ହେବ ନାହିଁ କହି ନିଜ ପ୍ରତିଶୃତିରେ ଖିଲାପ କଲେ । ଯାହାକୁ ଦୃଢ ବିରୋଧ କରିଛି କଂଗ୍ରେସ । ବିଜେଡି କହିଛି, ତୃଣମୂଳସ୍ତରରେ ନବୀନ ପଟ୍ଟନାୟକଙ୍କ ପ୍ରତି ଛାତ୍ର ସମାଜର ଭଲ ପାଇବା ଅତୁଟ ରହିଛି । ବିଜୁ ଛାତ୍ର ଜନତା ଦଳର ସଂଗଠନ ମଜଭୁତ ରହିଛି । ସରକାରଙ୍କୁ ହାରିବା ଭୟ ଘାରିଛି । ସେଥିପାଇଁ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ପଛଘୁଞ୍ଚା ଦେଉଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସମାଜକୁ ଏ ବାବଦରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ ଦାବି କରିଛନ୍ତି । ସେପଟେ ସରକାରୀ ଦଳ କହିଛି, ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ସକାରାତ୍ମକ ଅଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ଆକ୍ରମଣାତ୍ମକ ଭୂମିକା ଶାସକ ବିଜେପିକୁ ଚିନ୍ତାରେ ପକାଇଛି । ଆଗକୁ ଗ୍ୟହ କେମିତି ଚାଲୁଛି ଦେଖିବାକୁ ବାକି ରହିଲା ।