ମାଆ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ଦ୍ୱିତୀୟ ଦିନ, ଜଳଯାତ୍ରା ସହିତ ଆରମ୍ଭ ହେବ ଯଜ୍ଞ

ଗଞ୍ଜାମ: ସୁଉଚ୍ଚ ପର୍ବତରେ ଗୁଞ୍ଜରିତ ହେଉଛି ପବିତ୍ର ମନ୍ତ୍ରଧ୍ୱନି । ରାଜ୍ୟ ଓ ବାହାର ରାଜ୍ୟର ବହୁ ସାଧୁସନ୍ଥ ଏବଂ ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବର ଆଜି ଦ୍ବିତୀୟ ଦିନ । ଆଜି ଜଳଯାତ୍ରା ସହିତ ଆରମ୍ଭ ହେବ ଯଜ୍ଞ । ଆସନ୍ତାକାଲି ସୂର୍ଯ୍ୟପୂଜା ଓ ବ୍ରାହ୍ମଣ ବରଣ କରାଯିବ । ୧୮ରେ ଦଶ ମହାବିଦ୍ୟା, ତ୍ରିଶୁଳ, ଧ୍ବଜ ଓ ଦେବତା ସ୍ନାନ କରାଯିବ । ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

୧୯ରେ ଦେବତା ଓ ଆୟୁଦ୍ଧ ଧ୍ବାଜ ନାଶ ଏବଂ ଶେଷଦିନରେ ଧ୍ବଜ, ପାର୍ଶ୍ବ ଦେବତା, ସ୍ଥାପନ ସହ ଅଖଣ୍ଡ ନାମଯଜ୍ଞ, ଘ୍ରୁତଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଛି । ଋଷିକୁଲ୍ୟା ନଦୀକୁଳରେ ଆକର୍ଷଣୀୟ ଓ ପବିତ୍ର ପରିବେଶ ଆହୁରି ଆକର୍ଷଣୀୟ ଓ ମହିମା ମଣ୍ଡିତ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବକୁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତିଙ୍କ ଭଳି ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁଦାନରେ ମନ୍ଦିରର ନବକଳେବର ୨୦୦୪ରୁ ଆରମ୍ଭ ହୋଇଥିଲା । ଭକ୍ତ ଓ ପର୍ଯ୍ୟଟକ ସମସ୍ତଙ୍କ ପାଇଁ ନୂଆ ମନ୍ଦିର ଆକର୍ଷଣୀୟ ହୋଇଉଠିଛି ।