ସଜେଇ ହୋଇଛି ଦ୍ୱିତୀୟ ଚିଲିକା, ପିକନିକର ମଜା ନେବା ପାଇଁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

1 min read

ପାଲଲହଡା : ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଦ୍ୱିତୀୟ ଚିଲିକା  । ପ୍ରାକୃତିକ ଶୋଭାରାଜି ମଧ୍ୟରେ ପାହାଡ଼ ଜଙ୍ଗଲ ଘେରା ମନୋରମ ପର୍ଯ୍ୟଟନ ସ୍ଥଳୀ ହେଉଛି ଦ୍ୱିତୀୟ ଚିଲିକା । ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ସଦର ମହକୁମା ଠାରୁ ଠାରୁ ମାତ୍ର ୧୮ କିଲୋମିଟର ଦୂରରେ ରହିଥିବା ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ । ବର୍ତ୍ତମାନ ପିକନିକ ପାଇଁ ଏଠାରେ ଲୋକଙ୍କ ଭିଡ ଲାଗିଛି । କିଏ ବଣଭୋଜି କରିବା ପାଇଁ ଆସୁଛନ୍ତି ତ କିଏ ପ୍ରକୃତିକୁ ଅତି ନିକଟରୁ ଦେଖିବା ପାଇଁ ଭିଡ ଲଗେଇଛନ୍ତି । ସ୍ଥାନୀୟ ଜଙ୍ଗଲ ଓ ବିସ୍ତୃତ ଜଳ ରାଶିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ l

ପୂର୍ବ ବିଜେଡି ସରକାର ସମୟରେ ୨୦୨୩ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା ଦ୍ୱିତୀୟ ଚିଲିକା । ପର୍ଯ୍ଯଟକଙ୍କ ସୁବିଧା ନିମନ୍ତେ ଓଡିଶା ପର୍ଯ୍ଯଟନ ନିଗମ ଆନୁକୂଲ୍ୟରେ ଏଠାରେ ଭୋଜି ନିମନ୍ତେ ପିଣ୍ଡି ସହିତ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା  l ବର୍ତ୍ତମାନ ଏଠାରେ ଭଲ ପାର୍କିଂଙ୍ଗ କିମ୍ବା ଯାତ୍ରୀ ରହଣୀସ୍ଥଳୀ ସୁବିଧା ନଥିବାରୁ ପର୍ଯ୍ଯଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ତୁରନ୍ତ ଏ ଦିଗରେ ଧ୍ଯାନ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ପର୍ଯ୍ଯଟକ । ପର୍ଯ୍ଯଟନସ୍ଥଳୀ ଉନ୍ନତିକରଣ ପାଇଁ ସାଧାରଣରେ ଦାବି ଜୋର ଧରିଛି ।