ଭାରତକୁ ଆଉ ୫ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କଲା ଫ୍ରାନ୍ସ

1 min read

ପ୍ୟାରିସ୍: ଖୁବ୍‌ଶୀଘ୍ର ଆଉ ୫ ରାଫେଲ ଯୁଦ୍ଧ ବିମାନ ଭାରତ ଆସିବ । ଯୁଦ୍ଧ ବିମାନ ମଧ୍ୟରେ ରାଜା କୁହାଯାଉଥିବା ଏହି ଲଢ଼ୁଆ ବିମାନ ଭାରତର ଶକ୍ତିକୁ ଆହୁରି ବଢ଼ାଇବ । ଫ୍ରାନ୍ସ ଗତ ୧୦ ସେପ୍ଟେମ୍ବରରେ ୫ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ହସ୍ତାନ୍ତର କରିସାରିଥିବା ବେଳେ ଏବେ ଆଉ ୫ଟି ରାଫେଲ ଭାରତ ପାଇଁ ପ୍ରସ୍ତୁତ କରିସାରିଛି । ଏହି ୫ ନୂଆ ରାଫେଲ ଏବେ ବି ଫ୍ରାନ୍ସରେ ରହିଛି ଏବଂ ଏହା ଅକ୍ଟୋବରରେ ଭାରତ ଆସିବ ବୋଲି ସୂଚନା ମିଳିଛି । ଏହି ବିମାନ ପଶ୍ଚିମବଙ୍ଗର କାଲିକୁଣ୍ଡା ବାୟୁସେନା ଷ୍ଟେସନରେ ନିୟୋଜିତ ହେବ । ଯାହା ଚୀନ୍‌କୁ ଲାଗିରହିଥିବା ଭାରତର ପୂର୍ବ ସୀମାକୁ ସୁରାକ୍ଷା ଦେବ ।

   

ରାଫେଲର ଦ୍ୱିତୀୟ ବ୍ୟାଚ୍ ଭାରତକୁ ହସ୍ତାନ୍ତର କଲା ଫ୍ରାନ୍ସ

ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନିନ୍ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଫ୍ରାନ୍ସ ପକ୍ଷରୁ ଦ୍ୱିତୀୟ ବ୍ୟାଚ୍‌ ରାଫେଲ୍‌ ଭାରତକୁ ହସ୍ତାନ୍ତର କରାଯାଇଛି । ଏବେ ଭାରତୀୟ ବାୟୁସେନା ଉପରେ ନିର୍ଭର କରେ, ସେମାନେ କେବେ ଭାରତକୁ ରାଫେଲ ଆଣିବେ । ଏହାସହ ଲେନିନ୍‌ କହିଛନ୍ତି ଯେ, ଭାରତୀୟ ପାଇଲଟ୍‌ମାନେ ଅତ୍ୟନ୍ତ ଉଚ୍ଚକୋଟିର ।

ରାଫେଲରେ ମୋଡିଫିକେସନ୍‌ କଲା ଭାରତ

ଚୀନ୍ ସୀମାରେ ତାପମାତ୍ରାକୁ ଦୃଷ୍ଟିରେ ରଖି ରାଫେଲ ବିମାନରେ ଭାରତ ପକ୍ଷରୁ ଅନେକ ସଂଶୋଧନ‌ କରଯାଇଛି । ଯେଉଁଥିପାଇଁ ବିମାନଟି କମ୍ ତାପମାତ୍ରାରେ ମଧ୍ୟ ସହଜରେ ଷ୍ଟାର୍ଟ ହୋଇପାରିବ । ପ୍ରଥମ ବ୍ୟାଚ୍‌ରେ ଭାରତକୁ ଆସିଥିବା ୫ ରାଫେଲର ୨୫୦ ଘଣ୍ଟାରୁ ଅଧିକ ଫ୍ଲାଇଙ୍ଗ୍ ଏବଂ ଫିଲ୍ଡ ଫାୟାରିଂ ପରୀକ୍ଷା କରାଯାଇସାରିଛି । ଏହି ବିମାନଗୁଡିକୁ ଅମ୍ବାଲାରେ ୧୭ ଗୋଲ୍ଡେନ୍ ଏରୋ ସ୍କ୍ୱାଡ୍ରନ୍‌ରେ ସାମିଲ କରାଯାଇଛି ।

ଚାଇନାର J-20 ଉପରେ ରାଫେଲ ଭାରି ପଡ଼ିବ

ଭାରତୀୟ ରାଫେଲ ତୁଳନାରେ ଚୀନ୍‌ ପାଖରେ ଚେଙ୍ଗଦୁ J-20 ଏବଂ ପାକିସ୍ତାନର JF-17 ଯୁଦ୍ଧ ବିମାନ ରହିଛି । କିନ୍ତୁ ଏହି ଦୁଇ ବିମାନ ରାଫେଲ ତୁଳନାରେ ସାମନ୍ୟ ଦୁର୍ବଳ ବୋଲି ଜଣାପଡ଼ିଛି । ଚୀନ୍‌ J-20ର ଖାସିୟତ୍‌ ହେଉଛି ତାହା ଏକ ଷ୍ଟିଲ୍‌ଥ ଯୁଦ୍ଧ ବିମାନ । କିନ୍ତୁ ରାଫେଲକୁ ଅନେକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ । J-20 ର ବେସିକ୍‌ ରେଞ୍ଜ ହେଉଛି ୧୨୦୦ କିଲୋମିଟର ଯାହାକୁ ୨୭୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । J-20ର ଲମ୍ବ ୨୦.୩ ମିଟରରୁ ୨୦.୫ ମିଟର ପର୍ଯ୍ୟନ୍ତ । ଏହାର ଉଚ୍ଚତା ୪.୪୫ ମିଟର ଏବଂ ୱିଙ୍ଗସ୍ପାନ୍‌ ୧୨.୮୮-୧୩.୫୦ ମିଟର । ଅର୍ଥାତ୍ ଏହା ରାଫେଲ ଠାରୁ ବହୁତ ବଡ । ଅନ୍ୟପଟେ ପାକିସ୍ତାନ ପାଖରେ ଥିବା JF-17 ରେ ଚୀନ୍‌ PF-15 ମିସାଇଲ୍‌ ଯୋଡିଛି, କିନ୍ତୁ ତାହା ରାଫେଲ ଅପେକ୍ଷା ଅନେକ ଦୁର୍ବଳ ।

ଆସନ୍ତା ବର୍ଷ ଶେଷ ସୁଦ୍ଧା ସମସ୍ତ ରାଫେଲ ଭାରତ ଆସିବ

ଭାରତ ଫ୍ରାନ୍ସ ସହ ୩୬ଟି ରାଫେଲ କିଣିବାକୁ ଡିଲ୍‌ କରିଛି । ସେଥିମଧ୍ୟରୁ ୩୦ଟି ଯୁଦ୍ଧ ବିମାନ ରହିଥିବା ବେଳେ ୬ଟି ରାଫେଲ୍ ବିମାନ ଟ୍ରେନିଂ ପାଇଁ ବ୍ୟବହାର କରାଯିବ । ଟ୍ରେନିଂ ବିମାନରେ ଦୁଇଟି ସିଟ୍ ରହିବ ଏବଂ ଏକ ଯୁଦ୍ଧ ବିମାନରେ ଥିବା ପ୍ରାୟ ସମସ୍ତ ବିଶେଷତ୍ୱ ରହିବ । ରୁଷିଆରୁ ସୁଖୋଇ ବିମାନ କିଣିବାର ୨୩ ବର୍ଷ ମଧ୍ୟରେ ରାଫେଲ ବିମାନ କିଣା ଭାରତ ପାଇଁ ସବୁଠୁ ବଡ଼ ଡିଲ୍‌ ।

Leave a Reply