ପଞ୍ଚାୟତ ଭୋଟ୍ ଗଣନା ଲାଗି ନିୟମାବଳୀ ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ

1 min read
SEC Odisha Issuded Detail Guidelines For Panchayat Elections Vote Counting

ଭୁବନେଶ୍ୱର: ପଞ୍ଚାୟତ ଲାଗି ୧୬ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଶାନ୍ତି, ଶୃଙ୍ଖଳାର ସହ ମତଦାନ ଓ ମତଗଣନା ଉପେ ରାଜ୍ୟ ନିର୍ବାଚନ ଆୟୋଗ ଧ୍ୟାନ ଦେଇଛନ୍ତି । ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନର ମତଗଣନା ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ସମ୍ପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବେ ।

ନିର୍ବାଚନ ଅଧିକାରୀମାନେ ଭୋଟଗଣତି କେନ୍ଦ୍ର ନିରୂପଣ କରିବେ । ଯେଉଁଠାରେ ପର୍ଯ୍ୟାପ୍ତ ସ୍ଥାନ ଥିବ ଓ ନିର୍ବାଚନ ଅଧିକାରୀଙ୍କ ସହ ଗଣତି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ଆରାମରେ ଭୋଟଗଣତି କାର୍ଯ୍ୟ ସମ୍ପାଦନ କରିପାରିବେ । ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀୱାରି ଭୋଟଗଣତି କାର୍ଯ୍ୟ ଗୋଟିଏ ବଡ଼ ହଲ୍‌ରେ କରାଯିବ । ବ୍ଲକ ମୁଖ୍ୟାଳୟରେ ମତ ଗଣନା କାର୍ଯ୍ୟ ତିନିଦିନ ଧରି ଚାଲିବ, ଯେମିତିକି ଗୋଟିଏ ବ୍ଲକ୍‌ ସମସ୍ତ ଜିଲ୍ଲା ପରିଷଦ ମଣ୍ଡଳୀର ଭୋଟଗୁଡ଼ିକର ଗଣତି କାର୍ଯ୍ୟ ତିନିଦିନ ମଧ୍ୟରେ ଶେଷ ହେବ । ପ୍ରତ୍ୟେକ ବ୍ଲକର ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ଅନୁସାରେ ନିର୍ବାଚନ ଅଧିକାରୀମାନେ କେତେଗୋଟି ଭୋଟ ଗଣତି କେନ୍ଦ୍ର ସ୍ଥାପନ କରାଯିବ, ତାହା ନିରୁପଣ କରିବେ ।

କୌଣସି ଏକ ବ୍ଲକରେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ତିନିରୁ ଅଧିକ ଥିଲେ ସେଠାରେ ଏକରୁ ଅଧିକ ମତଗଣନା କେନ୍ଦ୍ର ହେବ । ଗୋଟିଏ ବ୍ଲକର ମତଗଣନା କାର୍ଯ୍ୟ ନିଶ୍ଚିତ ଭାବେ ତିନି ଦିନ ମଧ୍ୟରେ ଶେଷ କରିବା ଲାଗି ନିର୍ବାଚନ ଅଧିକାରୀମାନେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ମତଗଣନା କେନ୍ଦ୍ର ବ୍ଲକ ମୁଖ୍ୟାଳୟ ନିକଟରେ ହେବା ଉଚିତ୍ । ଯଦି ସେଠାରେ ମତଗଣନା କେନ୍ଦ୍ର ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ନଥିବ, ତାହେଲେ ବ୍ଲକ୍‌ ମୁଖ୍ୟାଳୟରେ ଥିବା ସରକାରୀ କୋଠାଘର, ବିଶେଷ କରି ମହାବିଦ୍ୟାଳୟ କିମ୍ବା ଉଚ୍ଚ ବିଦ୍ୟାଳୟ କୋଠାଘରେ ମତଗଣନା କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ପର୍ଯ୍ୟାପ୍ତ ସ୍ଥାନ ସହ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିବା ଉଚିତ୍ । ଏତଦ୍‌ବ୍ୟତୀତ ମତଗଣନା କେନ୍ଦ୍ର ନିକଟରେ ଷ୍ଟ୍ରଙ୍ଗରୁମ୍‌ ନିମନ୍ତେ ଏକ ବଡ଼ କୋଠରୀ ରହିବା ନିତାନ୍ତ ଜରୁରୀ । ଏଠାରେ ଭୋଟ୍ ଗ୍ରହଣ ପରେ ଭୋଟବାକ୍ସ ସହ ଭୋଟ ଗ୍ରହଣ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ରଖାଯିବ ।

SEC Odisha Issuded Detail Guidelines For Panchayat Elections Vote Counting

ମତଗଣନା କେନ୍ଦ୍ର ଚିହ୍ନଟ କରିବା ସମୟରେ ସେଠାରେ ଆବଶ୍ୟକ ଚେୟାର, ଟେବୁଲ, ର୍ୟାମ୍ପ, ପରିସ୍ରାଗାର ଓ ପାନୀୟଜଳର ସୁବିଧା ଦିଗରେ ଦୃଷ୍ଟି ଦେବା ଉଚିତ୍ । ମତଗଣନା କାର୍ଯ୍ୟ ଅସ୍ଥାୟୀ ମତଗଣନା କେନ୍ଦ୍ରରେ କରାଯିବାକୁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ବାରଣ କରିଛନ୍ତି । ରାଜନୈତିକ ଦଳମାନେ ଚାହିଁଲେ ଷ୍ଟ୍ରଙ୍ଗରୁମ୍‌ର ବାହାରେ ନିର୍ଦ୍ଧାରିତ ସ୍ଥାନରେ ରହି ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗରୁମକୁ ଜଗି ପାରିବେ । ମତଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିମନ୍ତେ ବିହିତ ବ୍ୟବସ୍ଥା କରିବା ଉଚିତ୍ । ତ୍ୟେକ ମତଗଣନା କେନ୍ଦ୍ରରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ଜରୁରୀ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ପ୍ରଦାନ ନିମନ୍ତେ ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଆବଶ୍ୟକ ଡାକବାଜି ଯନ୍ତ୍ରର ବ୍ୟବସ୍ଥା କରିବା ଦରକାର ।

ଏକ ଆଦର୍ଶ ମତଗଣନା କେନ୍ଦ୍ରର ଆକାର ୩୫’X୨୦’ ଫୁଟ ହେବା ଉଚିତ, ଯେଉଁଠାରେ ୮ଟି ଗ୍ରାମପଞ୍ଚାୟତର ଭୋଟଗଣତି ଗୋଟିଏ ହଲ୍‌ରେ କରାଯାଇପାରିବ । ମତଗଣନା ଟେବୁଲ ସମ୍ମୁଖରେ ଏକ ବେଞ୍ଚରେ କାଉଣ୍ଟିଂ ଏଜେଣ୍ଟମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ । ମତ ଗଣନା କେନ୍ଦ୍ର ନିକଟରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ଟି ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିବ । ଷ୍ଟ୍ରଙ୍ଗରୁମ୍‌କୁ ବାଲାଟ୍‌ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ସିସିଟିଭି ଲାଗିବ ଓ ଭୋଟଗଣତି, ନିର୍ବାଚନ ଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ । ଷ୍ଟ୍ରଙ୍ଗରୁମ୍‌ ବାହାରେ ଦ୍ୱିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ କାର୍ଯ୍ୟ କରିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ପର୍ଯ୍ୟବେକ୍ଷଣ ନିମନ୍ତେ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ । ଏତଦବ୍ୟତୀତ ମତଗଣନାର ୭୨ ଘଣ୍ଟା ପୂର୍ବରୁ ମତଗଣନା ସମ୍ପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯିବ ।

ଗୋଟିଏ ମତଗଣନା ଟେବୁଲ୍‌ ପାଇଁ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହିପରି ୪ ଜଣଙ୍କୁ ନିର୍ବାଚନ ଅଧିକାରୀ ନିୟୋଜିତ କରିବେ । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ କେବଳ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିପାରିବେ । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଥିବା ପଞ୍ଚାୟତ ସଂଖ୍ୟା ଅନୁସାରେ କାଉଣ୍ଟିଂ ଏଜେଣ୍ଟ ନିଯୁକ୍ତ କରିବେ । ନିର୍ବାଚନ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ଓ ସମୟରେ ମତଗଣନା କାର୍ଯ୍ୟ ଆରମ୍ଭ ହେବ । ମତଗଣନାରେ ନିୟୋଜିତ ଥିବା କର୍ମଚାରୀମାନେ ମତଗଣନା ନିମନ୍ତେ ଧାର୍ଯ୍ୟ ସମୟର ୧୫ ମିନିଟ୍‌ ପୂର୍ବରୁ ମତଗଣନା କେନ୍ଦ୍ରରେ ଉପସ୍ଥିତ ରହିବେ । ମତଗଣନା ସମ୍ପର୍କିତ ସମସ୍ତ କାର୍ଯ୍ୟର ଭିଡ଼ିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply