ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଲାଗୁ କରିଥିବା କିଛି କଟକଣା କୋହଳ ହୋଇପାରେ । କରୋନା ସଂକ୍ରମଣ କମିଥିବାରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ କିଛି କଟକଣା କୋହଳ କରିବା ପରେ ଓଡ଼ିଶାରେ ଏଭଳି ସମ୍ଭାବନା ଦେଖାଦେଇଛି । ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପରିବତ୍ତର୍ନ କରିବାକୁ ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦାବି କରିଛନ୍ତି । ତେବେ ସ୍ଥିତି ଦେଖି କମିଶନ ନିଷ୍ପତ୍ତି ପୁନଃବିଚାର କରିପାରନ୍ତି ।

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାରକୁ ଖସିଛି । ୧୦ ଦିନ ହେଲା ସଂକ୍ରମଣ ରହିଛି ତଳମୁହାଁ । ତେଣୁ ରାଜ୍ୟ ସରକାର ଫେବ୍ରୁଆରୀ ଗାଇଡଲାଇନରେ କିଛି କଟକଣା କୋହଳ କରିଛନ୍ତି । ୫ଟି ରାଜ୍ୟରେ ବିଧାସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ଦ୍ୱିତୀୟ ଥର କିଛି କଟକଣା କୋହଳ କରିଛନ୍ତି । ରାଲି, ରୋଡ୍ ଶୋ’, ସଭାସମିତି ଓ ପ୍ରଚାର ପାଇଁ କମିଶନ କଣକଣା କୋହଳ କରାଯାଇଛି । ତେଣୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଣକଣା କିଛି କୋହଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ବିଜେପି ଓ କଂଗ୍ରେସ ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଟକଣା କୋହଳ ହେବା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଛନ୍ତି । ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ନିର୍ବାଚନୀ ସଭା, ପ୍ରଚାର ଓ ରୋଡ୍‌ ଶୋ ପାଇଁ ରାଜ୍ୟ ନିର୍ବାଚନ କମିଶନ ଅନୁମତି ଦେବା ଆବଶ୍ୟକ ବୋଲି ବିରୋଧୀ କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ସଭା, ସମିତି, ସଂପୂର୍ଣ୍ଣ ବନ୍ଦ କରିଥିବା ବେଳେ ଡିଜିଟାଲ ପ୍ରଚାର ଉପରେ ଫୋକସ୍‌ କରିଛନ୍ତି ।  ତେବେ ୫ଟି ରାଜ୍ୟ ପାଇଁ ଭାରତର ନିର୍ବାଚନ କମିଶନ ନିୟମରେ କିଛି କୋହଳ କରିଛନ୍ତି । ରାଲି, ରୋଡ୍ ଶୋ’ ପାଇଁ କଟକଣା କୋହଳ ହୋଇଛି । ଆବଦ୍ଧ ହଲରେ ୫ଶହ ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ଡୋର ଟୁ ଡୋର କ୍ୟାମ୍ପେନିଂରେ ୨୦ଜଣ ସାମିଲ ହୋଇପାରିବେ । ଆଉଟଡୋର୍ ସଭା ସମିତିରେ ସର୍ବାଧିକ ଏକ ହଜାର ଲୋକ ସାମିଲ ହେବାକୁ ଭାରତର ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ତେଣୁ ଓଡ଼ିଶାରେ ମଧ୍ୟ କିଛି କଟକଣା କୋହଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

Leave a Reply