ସେବାୟତ ଖସି ପଡ଼ିବା ଘଟଣା : ପ୍ରଶାସନ ଅବହେଳାକୁ ଦାୟୀ କଲେ ଆହତ ସେବାୟତଙ୍କ ପୁଅ

ନନ୍ଦିଘୋଷ ବ୍ୟୁରୋ: ମହାଦୀପ ଧରି ଚୂଡ଼ାକୁ ଉଠିବା ବେଳେ ସେବାୟତ ଖସି ପଡ଼ିବା ଘଟଣାରେ ମନ୍ଦିର ପ୍ରଶାସନ ଅବହେଳାକୁ ଦାୟୀ କଲେ ଆହତ ସେବାୟତଙ୍କ ପୁଅ । ଆହତ ହୋଇଥିବା ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା କହିଛନ୍ତି, ବାପା ଏବେ ସୁସ୍ଥ ଅଛନ୍ତି । କଥା ହେଉଛନ୍ତି । ତାଙ୍କର ସିଟି ସ୍କାନ ହେବ । ମହାଦୀପରେ ଘିଅ ଅଧିକ ଥିଲା । ହାତରେ ଘିଅ ପଡିଯିବାରୁ ସେ ଖସି ପଡ଼ିଲେ। ବାପା ଖସି ପଡ଼ିଲା ପରେ, ବଡ ବାପାଙ୍କ ପୁଅ ମହାଦୀପ ନେଇ ଉପରକୁ ଗଲେ। ଗତ ୨୫ରୁ ୩୦ ବର୍ଷ ହେଲେ ବାପା ମହାଦୀପ ଉଠାଉଛନ୍ତି  ବୋଲି କହିଛନ୍ତି ଯୋଗେନ୍ଦ୍ରଙ୍କ ପୁଅ । ତେବେ ଏଭଳି ଘଟଣା କେବେ ଘଟି ନଥିଲା ବୋଲି ସେ କହିଛନ୍ତି। ଏଥିପାଇଁ ସେ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି । ମହାଦୀପରେ ଘିଅର ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା । ସମର୍ଥା ସେବାୟତଙ୍କ ଉପରେ ପ୍ରଶାସନ ଧ୍ୟାନ ଦିଅନ୍ତୁ । ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆହତ ସେବାୟତଙ୍କ ପୁଅ ।  ସମର୍ଥା ନିଯୋଗ ସଂପାଦକ ପ୍ରଶାନ୍ତ ସମର୍ଥା ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।