ଅଶାନ୍ତ ସମୁଦ୍ର: କୂଳ ଲଙ୍ଘି କରୁଛି ଛାରଖାର

ଭୁବନେଶ୍ବର: ମାଡ଼ି ଆସୁଛି ସମୁଦ୍ର, କୂଳ ଲଙ୍ଘୁଛି ଜୁଆର । ଗାଁ ଭିତରରେ ଲହରୀ ଭାଙ୍ଗୁଛି ଲୁଣା ପାଣି । ସମୁଦ୍ର କୂଳିଆଙ୍କ ଚିନ୍ତା ବଢାଇଛି ସମୁଦ୍ରର କରାଳ ରୂପ । ପାରାଦୀପରୁ ପୁରୀ, ଚିଲିକାରୁ ଭୋଗରାଇ ସବୁଠି ଦେଖିବାକୁ ମିଳିଛି ସମୁଦ୍ରର ଉଗ୍ର ରୂପ ।

ପାରାଦୀପରେ ପ୍ରାୟ ୧୦୦ ମିଟର ସ୍ଥଳଭାଗକୁ ମାଡି ଆସିଛି ସମୁଦ୍ର ପାଣି । ନେହେରୁ ବଙ୍ଗଳାର କ୍ୟାଣ୍ଟିନ ଡେଇଁ ମନ୍ମଥ ଉଦ୍ୟାନ ଭିତରେ ପଶିଛି । ଯାହାକୁ ନେଇ ଭୟଭୀତ ନେହେରୁ ବଙ୍ଗଳା ବସ୍ତିର ୩ ହଜାରରୁ ଅଧିକ ବାସିନ୍ଦା । ସେପଟେ ପୁରୀ କୃଷ୍ଣପ୍ରସାଦ ବ୍ଳକ୍ ଅରଖକୁଦ ହରଚଣ୍ଡୀ ସାହିରେ ବି ପଶିଛି ସାମୁଦ୍ର ଜୁଆର ପାଣି । ଗତକାଲି ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ଆସୁଛି । ସମୁଦ୍ର ମୁହାଣ ଦେଇ ଚିଲିକାକୁ ପଶୁଛି ପାଣି । ଅନେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ  ଗାଁଦାଣ୍ଡରେ ଲହରୀ ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଭୋଗରାଇରେ ମଧ୍ୟ ସମାନ ସ୍ଥିତି । ଭୋଗରାଇ ତାଳସାରିରେ ବି ସମୁଦ୍ର ଅଶାନ୍ତ । ହୋଟେଲ୍ ଓ ଦୋକାନ ଘର ଭିତରକୁ ମାଡି ଯାଇଛି ସମୁଦ୍ର ପାଣି । ସାର୍ଥା ପଞ୍ଚାୟତର ମେଘା, ମର୍ଚି, ବୁଦ୍ଧିଆ ମାରି, ଖଡ଼ଖଡି ଗାଁରେ ଲୁଣା ପାଣି ପ୍ରବେଶ କରିଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ରାସ୍ତାଘାଟ ସମୁଦ୍ରରେ ମିଶିଯିବା ପରି ଲାଗୁଛି ।

ସେପଟେ ଦକ୍ଷିଣରୁ ଉତ୍ତରକୁ ମୁହାଁଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୮ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଓ ପାହାଡ଼ ଧସିବା ଆଶଙ୍କା ରହିଛି । ଏହାସହ ସହରାଞ୍ଚଳରେ ସୃଷ୍ଟି ହୋଇପାରେ କୃତ୍ରିମ ବନ୍ୟା ସ୍ଥିତି । ଆସନ୍ତାକାଲି ପାଇଁ  ଉତ୍ତର ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ଓ ଉପକୂଳର ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଉପକୂଳ ଓଡ଼ିଶାରେ ବର୍ଷା ବେଳେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ନେଇ ସମ୍ଭାବନା ଥିବାରୁ ୧୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।