ମହିଳା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କୁ ହତ୍ୟା

1 min read

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶ ସାହାପୁରାରେ ମହିଳା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କୁ ହତ୍ୟା । SDM ନିଶା ନାପିଟଙ୍କ  ସ୍ବାମୀ ମନିଷ ଶର୍ମା ତକିଆରେ ନିଶାଙ୍କ ମୁହଁକୁ ଚାପି  ହତ୍ୟା କରିଥିବା ପୋଲିସ କହିଛି । ନିଶା ତାଙ୍କ ସର୍ଭିସ ରେକର୍ଡ,ବୀମା ଓ ବ୍ୟାଙ୍କ ରେକର୍ଡରେ ସ୍ବାମୀଙ୍କୁ ନୋମିନି ନରଖିବା ନେଇ ଗଣ୍ଡଗୋଳ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଚରମସୀମାରେ ପହଞ୍ଚିବା ପରେ ସ୍ବାମୀ ହଠାତ୍ ନିଶାଙ୍କ ମୁହଁକୁ ତକିଆରେ ଚାପି ରଖିଥିଲେ । କିଛି ସମୟ ପରେ ନିଶାଙ୍କ ମୃତ୍ୟୁ ଘଟିଥିବା ଏସପି ଅଖିଳ ପଟେଲ କହିଛନ୍ତି । ମନିଷ ବେରୋଜଗାର ଥିବା ସହ ସବୁବେଳେ ମାଦକଦ୍ରବ୍ୟ ନିଶାରେ ଚୁର ରହୁଥିଲେ । ବିଭିନ୍ନ ସମୟରେ ନିଶାଙ୍କୁ ପଇସା ମାଗିବା ସହ ମାଡ଼ ମାରୁଥିଲେ ବୋଲି ତଦନ୍ତରୁ ଜଣାପଡିଛି ।   ନିଶାଙ୍କୁ ହତ୍ୟା କରିବା ପରେ, ମନିଷ ଶବ ନିକଟରେ ୬ଘଣ୍ଟା ଧରି ବସିରହିଥିଲେ ।

ପରେ ମୃତଦେହକୁ ନିକଟସ୍ଥ ଡାକ୍ତରଖାନାକୁ ନେବା ପରେ, ହତ୍ୟା ସନ୍ଦେହ କରି ଡାକ୍ତର ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମନିଷଙ୍କୁ ଅଟକ ରଖି ଶବ ବ୍ୟବଛେଦ କରିଥିଲେ । ନିଶା ହତ୍ୟାର ପ୍ରମାଣ ନଷ୍ଟ କରିବାକୁ ମନିଷ ତକିଆରେ ଲାଗିଥିବା ରକ୍ତ ଓ ରକ୍ତଭିଜା ପୋଷାକକୁ ୱାସିଂ ମେସିନରେ ସଫା କରିଦେଇଥିଲେ । ଡିନ୍ଦୋରିଜିଲ୍ଲା ଏସପିଙ୍କ କହିବା ହେଲା  ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ମନିଷଙ୍କୁ ପଚରା ଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି । ମନିଷଙ୍କ ବିରୋଧରେ ହତ୍ୟା,ଯୌତୁକ ନିର୍ଯ୍ୟାତନା,ପ୍ରମାଣ ନଷ୍ଟ ଭଳି ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ସ୍ପର୍ଶକାତର ମାମଲାର ତଦନ୍ତ ଡିଆଇଜି ମୁକେଶ ଶ୍ରୀବାସ୍ତବ ୨୪ଘଣ୍ଟା ମଧ୍ୟରେ ଶେଷ କରି ଅଭିଯୁକ୍ତକୁ ଗିରଫ କରିଥିବାରୁ ତାଙ୍କୁ ୨୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ଏସପି ଅଖିଳ ପଟେଲ କହିଛନ୍ତି ।