ଅନଲାଇନରେ ମିଳୁଛି ଜାତିଗତ ପ୍ରମାଣପତ୍ର, ଦାଖଲ ଖେଉଛି ଖଜଣା

1 min read
SC, ST Students Availing Caste Certificate Through Online Says Sudam Marndi

ଭୁବନେଶ୍ୱର: ଟେକ୍ନୋଲୋଜି କ୍ଷେତ୍ରରେ ଆଗେଇଛି ଓଡ଼ିଶା । ଆଗରୁ ଅନେକ ଗୁଡ଼ିଏ ସେବା ପାଇଁ ଲୋକମାନଙ୍କୁ ବାରମ୍ବାର ତହସିଲ୍, ଆର.ଆଇ ଅଫିସ୍ ଦୌଡ଼ିବାକୁ ପଡ଼ୁଥିଲା । ସରକାର ଅଧିକାଂଶ ସେବାକୁ ଡିଜିଟାଲାଇଜେସନ୍ କରିବା ପରେ ଏବେ ଆଉ ଅଫିସରେ ଲାଗୁନି ଲୋକଙ୍କ ଭିଡ଼ । ଅନଲାଇନ୍ ମାଧ୍ୟମରେ ମାତ୍ର କିଛି ମିନିଟରେ ମିଳୁଛି ପ୍ରମାଣ ପତ୍ର ।

ଜମି ଖଜଣାରୁ ନେଇ ଜାତିଗତ ପ୍ରମାଣପତ୍ର ଯାଏ ସବୁକିଛି ଅନଲାଇନ୍ ମାଧ୍ୟମରେ ହେଉଛି । ବିଧାନସଭାରେ ବିଧାୟକ ଭୂପିନ୍ଦର ସିଂହ ଏନେଇ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଭୁବନଶ୍ୱର ସୂଚନା ଅନୁସାରେ ୨୦୧୯-୨୦ ବର୍ଷରେ ୬ ହଜାର ୭୬୭ଟି ଏବଂ ୨୦୨୦-୨୧ ବର୍ଷରେ ୩୧୭୦ଟି କୃଷି ଖତିୟାନର ଜମି ଖଜଣା ମୋବାଇଲ୍ ଆପ୍ ଜରିଆରେ ପୈଠ କରାଯାଇଛି । ସମଗ୍ର ରାଜ୍ୟରେ ୧ କୋଟି ୭୧ ଲକ୍ଷ ୨୬ ହଜାର ୫୪୬ଟି ଖତିୟାନ ରହିଛି । ବହୁ ଖତିୟାନରେ ଏକାଧିକ ଚାଷୀଙ୍କ ନାମ ରହିଛି ।

ସେହିଭଳି ସରକାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ପ୍ରସ୍ଥାନ ପ୍ରମାଣପତ୍ର (SLC) ସହ ଜାତଗିତ ପ୍ରମାଣପତ୍ର (ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି) ପ୍ରଦାନ କରିବା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏନେଇ ସରକାର ସମ୍ପୃକ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରିଛନ୍ତି ।

ଏହାଛଡ଼ା ରାଜ୍ୟ ସରକାର 5T କାର୍ଯ୍ୟକ୍ଷମ ମାଧ୍ୟମରେ ୨୦୧୯ ଡିସମ୍ବର ୨୮ରୁ ଅନଲାଇନରେ ଜାତିଗତ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କରିଛନ୍ତି । ଏଥିରେ ବର୍ତ୍ତମାନ ଯାଏ ୨ ଲକ୍ଷ ୪୬ ହଜାର ୯୧୯ ଗୋଟି ତଫସିଲଭୁକ୍ତ ଜାତି ପ୍ରମାଣପତ୍ର ଓ ୩ ଲକ୍ଷ ୫୩ ହଜାର ୯୪୪ ଗୋଟି ତଫସିଲଭୁକ୍ତ ଜନଜାତି ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛି । ଉତ୍ତରାଧିକାରୀ ପ୍ରମାଣ ପତ୍ର ବଦଳରେ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇ ନଥିବା ମନ୍ତ୍ରୀ କହିଛନ୍ତି ।

Leave a Reply